ଓଟିଟି ପ୍ଲାଟଫର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ୱେବ ସିରିଜ୍ ଓ ସୋ’ ଗୁଡ଼ିକର ସ୍କ୍ରିନିଂ ଜରୁରୀ ।

171

କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଇ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ । ୱେବ ସିରିଜ୍ ଓ ଅନ୍ୟ ସୋ ଗୁଡ଼ିକୁ ସ୍କ୍ରିନିଂ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଏନେଇ ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ନିୟମକୁ ଆସନ୍ତାକାଲି ସୁଦ୍ଧା କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଓଟିଟି ସମ୍ପର୍କିତ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କିଛି କଟକଣା ଆବଶ୍ୟକ କାରଣ ଏସବୁ ପ୍ଲାଟଫର୍ମ ଉପରେ ବେଳେ ବେଳେ ଅଶ୍ଳୀଳ ଭିଡିଓ ଚଲାଯାଉଥିବାର ନଜିର ଆସିଛି । ତେଣୁ ସନ୍ତୁଳନ ରକ୍ଷା ପାଇଁ କିଛି କଟକଣା ଆବଶ୍ୟକ ଥିବା କୋର୍ଟ କହିଛନ୍ତି । ଆମାଜନ ପ୍ରାଇମ ଭିଡିଓର କମର୍ସିଆଲ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କ ଏକ ଆବେଦନର ଶୁଣାଣି କରି କୋର୍ଟ ଏକଥା କହିଛନ୍ତି । ପୂର୍ବରୁ ଅପର୍ଣ୍ଣାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ ଆହ୍ଲାବାଦ ହାଇକୋର୍ଟ ।

‘ତାଣ୍ଡବ’ ୱେବ ସିରିଜକୁ ନେଇ ନିକଟରେ ବିବାଦ ଦେଖାଦେଇଥିଲା । ଏଥିରେ ଗୋଟିଏ ସମ୍ପ୍ରଦାୟର ଧାର୍ମିକ ମନୋଭାବକୁ ଆଘାତ ପହଂଚାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଉତ୍ତର ପ୍ରଦେଶ ପୁଲିସ୍ ଆମାଜନ ପ୍ରାଇମ ଭିଡିଓର ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଓଟିଟି ଓ ସୋସିଆଲ ମିଡିଆ ନେଇ ଫେବ୍ରୁଆରୀ ୨୬ରେ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । ଏଥିରେ ବିଷୟବସ୍ତୁ ନେଇ ତଥ୍ୟ ହେବାକୁ ହେବ, ଏହାସହ କେଉଁଠି ପ୍ରସାରଣ କରିବେ ତାହା ମଧ୍ୟ ଜଣାଇବାକୁ ପଡ଼ିବ ।