ଜିତୁ ଜିତୁ ହାରିଗଲା ମହାମେଣ୍ଟ । ହାତ ପାହାନ୍ତାରୁ ମହାଗଠବନ୍ଧନ ହାତରୁ ଦୂରେଇଗଲା ବିହାର ସିଂହାସନ

423

କନକ ବ୍ୟୁରୋ : ଏଥର ବିହାର ନିର୍ବାଚନରେ କଡ଼ା ଟକ୍କର ରାଜନୈତିକ ସମୀକ୍ଷକମାନଙ୍କୁ ଭୋଟ୍ ଗଣିତକୁ ନେଇ ନୂଆ ପ୍ରକାର ତର୍ଜମା କରିବାକୁ ଖୋରାକ ଯୋଗାଇଛି  ।  ତାର କାରଣ ହେଉଛି ବିଜୟ ଓ ପରାଜୟ ଭିତରେ ମାତ୍ର କିଛି ହଜାର ଭୋଟର ବ୍ୟବଧାନ ରହିଛି  । ବିହାରର ମୁଖ୍ୟମନ୍ତ୍ରୀ ସିଂହାସନ ଠାରୁ ବହୁଦୂରକୁ ଚାଲିଯାଇଛି ମହାଗଠବନ୍ଧନ, କିନ୍ତୁ ଏତେ ପାଖରେ ବି ଅଛି ତାହା ବୋଧହୁଏ କେହି ଭାବିନଥିବେ  ।

ଏହି ପ୍ରଶ୍ନର ଉତର ଖୋଜିବାକୁ ହେଲେ ଭୋଟ୍ ଗଣିତ ଉପରେ ନଜର ପକାଇବାକୁ ହେବ  । ଭୋଟ୍ ଗଣିତ ଅନୁସାରେ ବିଜୟୀ ଏନଡିଏ ଓ ପରାଜିତ ମହାଗଠବନ୍ଧନ ମଧ୍ୟରେ ଭୋଟ୍ ବ୍ୟବଧାନ ଖୁବ୍ କମ୍ ରହିଛି  । ଏନଡିଓ ଓ ମହାଗଠବନ୍ଧନ ମଧ୍ୟରେ ମୋଟ୍ ଭୋଟ୍ ବ୍ୟବଧାନ ରହିଛି ମାତ୍ର ୧୨ ହଜାର ୭୬୮  । ଏହି ଭୋଟ୍ ବ୍ୟବଧାନ ପାଇଁ ମହାଗଠବନ୍ଧନକୁ ମାତ୍ ଦେବାରେ ସଫଳ ହେଲା ଏନଡିଏ  ।  ମହାଗଠବନ୍ଧନକୁ ଏକ କୋଟି ୫୬ ଲକ୍ଷ ୮୮ ହଜାର ୪୫୮ ଭୋଟ୍ ମିଳିଥିବା ବେଳେ ଏନଡିଏ ହାତେଇଛି ୧ କୋଟି ୫୭ ଲକ୍ଷ ଏକ ହଜାର ୨୨୬ ଭୋଟ୍  । ଯଦି ଭୋଟ୍ ପ୍ରତିଶତ ବିଷୟରେ କଥା ହେବା, ତାହେଲେ ଏନଡିଏ ଓ ମହାମେଂଟ ମଧ୍ୟରେ ଭୋଟ୍ ବ୍ୟବଧାନ ମାତ୍ର ଶୂନ ଦଶମିକ ଶୂନ ୩ ପ୍ରତିଶତ  । ଏନଡିଏର ଭୋଟ୍ ପ୍ରତିଶତ ୩୭ ଦଶମିକ ୨୬ ପ୍ରତିଶତ ରହିଥିବା ବେଳେ ମହାଗଠବନ୍ଧନକୁ ମିଳିଛି ୩୭ ଦଶମିକ ୨୩ ପ୍ରତିଶତ ଭୋଟ୍  ।

ବେରୋଜଗାରି, ନିଯୁକ୍ତିର ଅଭାବ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର କରିଥିଲେ ତେଜସ୍ୱୀ  । ତାଙ୍କ ରାଲିରେ ବହୁ ଭିଡ଼ ମଧ୍ୟ ଦେଖିବାକୁ ମଧ୍ୟ ମିଳିଥିଲା, ହେଲେ ବିଜୟ ପାଇଁ ପର୍ଯ୍ୟପ୍ତ ଭୋଟରୁ ମାତ୍ର କିଛି ଦୂରରେ ରହିଗଲେ ବିହାରର ନୂଆ ଯୁବ ଆଇକନ

ତେବେ ତେଜସ୍ୱୀଙ୍କ ଆରଜେଡି ୭୫ଟି ଆସନ ସହ ରାଜ୍ୟରେ ସବୁଠୁ ବଡ଼ ଦଳ ପାଲଟିଛି  । କୌଣସି ଗୋଟିଏ ଦଳକୁ ହିସାବକୁ ନେଲେ ୨୩ ଦଶମିକ ୧ ପ୍ରତିଶତ ଭୋଟ୍ ପାଇ ସବୁଠୁ ଅଧିକ ଭୋଟ୍ ହାତେଇଛି ଆରଜେଡି  । ହେଲେ ୧୧୦ ଆସନ ଜିତି ମ୍ୟାଜିକ୍ ନମ୍ବର ୧୨୨ ଠାରୁ ୧୨ଟି ଆସନରେ ପଛୁଆ ରହିଯାଇଛି ମହାଗଠବନ୍ଧନ ।