ଭୋଟ ଗ୍ରହଣ ପୂର୍ବରୁ ମହାମେଣ୍ଟର ପ୍ରାର୍ଥୀ ଫେରାର । କାହାକୁ କରିବେ ଭୋଟ, ଚିନ୍ତାରେ ପଡିଲେ ସମର୍ଥକ?

403

ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ଘୋଷୀ ଆସନ ପାଇଁ ମଧ୍ୟ ଭୋଟଗ୍ରହଣ ହେବ । କିନ୍ତୁ ଭୋଟଗ୍ରହଣ ପୂର୍ବରୁ ଏଠିକାର ଜନତା ଦ୍ୱନ୍ଦରେ ପଡିଛନ୍ତିି । କାରଣ ଭୋଟଗ୍ରହଣକୁ ଆହୁରି ୬ ଦିନ ବାକି ଥିଲେ ମଧ୍ୟ ଏଠାରୁ ଏସପି-ବିଏସପିରୁ ପ୍ରାର୍ଥୀ ହୋଇଥିବା ଅତୁଲ ରାୟ ଗାୟବ ହୋଇ ଯାଇଛନ୍ତି । ଯାହାକୁ ନେଇ ଏସପି-ବିଏସପି ସମର୍ଥକ ଚିନ୍ତାରେ ପଡି ଯାଇଛନ୍ତି । ଯାହାକୁ ସେମାନେ ଭୋଟ ଦେବେ ବୋଲି ଭାବୁଥିଲେ ସେ ନିଖୋଜ ହେବା ପରେ କାହାକୁ ଭୋଟ ଦେବେ ତାହାକୁ ନେଇ ମାନସମନ୍ଥନ ଚାଲିଛି । ତେବେ ଭୋଟଗ୍ରହଣ ପୂର୍ବରୁ ଅତୁଲ କାହିଁକି ନିଖୋଜ ହେଲେ ତାହାକୁ ନେଇ ରାଜନୀତି ଜୋର ଧରିଛି ।

ସୂଚନା ଅନୁଯାୟୀ, ମହାମେଣ୍ଟରୁ ପ୍ରାର୍ଥୀ ହୋଇଥିବା ଅତୁଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଗିରଫରୁ ବଞ୍ଚିବା ପାଇଁ ଫେରାର ହୋଇଯାଇଛନ୍ତି । ବାରଣାସୀର ଜଣେ ଛାତ୍ରୀ ଅତୁଲଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଅତୁଲ ନିଜ ପତ୍ନୀଙ୍କ ସହ ତାଙ୍କୁ ଭେଟ କରାଇବା ପାଇଁ ଘରକୁ ନେଇଥିଲେ । ଯେଉଁଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଅତୁଲ । କିନ୍ତୁ ଏଭଳି ଅଭିଯୋଗକୁ ଅତୁଲ ଖଣ୍ଡନ କରୁଥିଲେ ମଧ୍ୟ ତାଙ୍କ ନାଁରେ ଗତ ୧ ତାରିଖରେ ମାମଲା ରୁଜୁ କରାଯାଇଥିଲା । ଏପରିକି ଏଭଳି ଗମ୍ଭୀର ମାମଲା ପାଇଁ ଅତୁଲଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା ।

ଗିରଫରୁ ବଞ୍ଚିବା ପାଇଁ ହାଇକୋର୍ଟର କବାଟ ଠକ୍ ଠକ୍ କରିଥିଲେ ଅତୁଲ । କିନ୍ତୁ ହାଇକୋର୍ଟ ପକ୍ଷରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଆଉ ଏହାପରେ ପ୍ରଚାର ଅଧାରୁ ଫେରାର ହୋଇ ଯାଇଥିଲେ ଅତୁଲ । ଏହି ମାମଲାକୁ ଏବେ ନିର୍ବାଚନ ମୁଦ୍ଦା କରିଛି ବିଜେପି । ଏହି ଆସନରୁ ଅତୁଲଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ହରିନାରାୟଣ ରାଜଭର । ଏହି ମାମଲାକୁ ମୁଦ୍ଦା କରି ଜୋରଦାର ପ୍ରଚାର କରୁଛି ବିଜେପି । ଯାହା ଏବେ ମହାମେଣ୍ଟ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି । ଏପରିକି ମହାମେଣ୍ଟର ସମର୍ଥକ ମଧ୍ୟ କାହାକୁ ଭୋଟ ଦେବେ ତାହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ।