ଅନଲାଇନ ଡେଲିଭରୀ ଉପରେ କଟକଣା ଲଗାଇଲା ଗୃହ ମନ୍ତ୍ରାଳୟ: ତାଲାବନ୍ଦ ସମୟରେ ଜାରି ରହିବ ଅନଲାଇନ ସପିଂ ହେଲେ କେବଳ ମଗାଇ ହେବ ଜରୁରୀ ସାମଗ୍ରୀ

1,435

କନକ ବ୍ୟୁରୋ: ଦେଶରେ ତାଲାବନ୍ଦ ସମୟରେ ଅନଲାଇନରେ କେବଳ ମଗାଇପାରିବେ ଜରୁରୀ ସାମଗ୍ରୀ । ସାମଗ୍ରୀ ଅତ୍ୟାବଶ୍ୟକୀୟ ହୋଇନଥିଲେ ତାହା ଅନଲାଇନରେ ମଗାଇପାରିବେ ନାହିଁ । ଆଜି ଏହାକୁ ନେଇ ବଡ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ ତାଲାବନ୍ଦ ଜାରି ରହିଥିବା ଯାଏଁ ଅନଲାଇନ ଡେଲିଭରି ସେବା ଉପରେ ଏହି କଟକଣା ବଜାୟ ରହିବ ।

ନିର୍ଦ୍ଦେଶନାମା ଜାରି କରି ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ବିପର୍ଯ୍ୟୟ ପରିଚାଳନା ନିୟମ ଆଇନରେ ସଂଶୋଧନ କରି ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଲକଡାଉନ୍ ସମୟରେ ଇ-କମର୍ସ କମ୍ପାନୀଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଯୋଗାଇ ପାରିବେ ନାହିଁ।  ଇ କମର୍ସ କମ୍ପାନୀ ଗୁଡିକର ଯେଉଁ ଗାଡି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବ ସେଗୁଡିକୁ କେବଳ ଯାତ୍ରା ଅନୁମତି ଦେବାକୁ କୁହାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ, ମାର୍ଚ୍ଚ ୨୫ ରେ ତାଲା ପଡିଥିବାରୁ ଦେଶର ଇ-କମର୍ସ କମ୍ପାନୀଗୁଡିକ କେବଳ ଜରୁରୀ ସାମଗ୍ରୀ ଯୋଗାଉଛନ୍ତି। ତେବେ କିଛି ଦିନ ପୂର୍ବରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀରେ ଇ-କମର୍ସ କମ୍ପାନୀଗୁଡ଼ିକୁ ଅନ୍ୟ ସାମଗ୍ରୀ ବିକ୍ରିରେ ଅଳ୍ପ ରିହାତି ଦିଆଯାଇଥିଲା। କିନ୍ତୁ ଲକଡାଉନ୍ ସମୟରେ ଏହି ସାମଗ୍ରୀର ବିତରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।