ଏବେବି ବଞ୍ଚିଛି ଅନ୍ଧବିଶ୍ୱାସ । ଗାଁରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ଦିଆଗଲା ବଳି

253

କନକ ବ୍ୟୁରୋ : ଅନ୍ଧବିଶ୍ୱାସର ବଶବର୍ତୀ ଗାଁଲୋକେ  । ୧୫ ଦିନ ମଧ୍ୟରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଗାଁରେ ଆତଙ୍କ ଦେଖାଦେଇଛି । ଗାଁ ଲୋକଙ୍କୁ ସୁରକ୍ଷିତ ରଖି ଭୟରୁ ମୁକୁଳାଇବା ପାଇଁ ଗୁରୁମାଇଙ୍କୁ ଡାକି ଗ୍ରାମଦେବୀଙ୍କ ପୂଜାର୍ଚ୍ଚନା କଲେ ସବୁ ଠିକ୍ ହେବ ବୋଲି ବିଶ୍ୱାସ କରି ପୂଜାର୍ଚ୍ଚନା କରାଯାଇଛି । ଗୁରୁମାଇଙ୍କ କହିବା ଅନୁସାରେ ନିରାକରଣ ପାଇଁ ନଡ଼ିଆ, କଦଳୀ, ଧୂପ, ଦୀପ ପୂଜା ସହ ଗାଁରେ ଘୁଷୁରି ବଳି ପଡିଛି ।

ଅନ୍ଧବିଶ୍ୱାସର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଖଣ୍ଡିଆଗୁଡା ଗାଁରେ । ପୂଜାର୍ଚ୍ଚନା ପରେ ଗ୍ରାମଦେବୀଙ୍କ ପ୍ରକୋପ କମିଛି ଏବଂ ଗ୍ରାମବାସୀ ଏବେ ଶାନ୍ତିରେ ରହିବେ, କେହି ମରିବେନି ବୋଲି ଗାଁଲୋକଙ୍କର ବିଶ୍ୱାସ ରହିଛି । ଏପରିକି  ଗ୍ରାମଦେବୀଙ୍କ ଯାତ୍ରାରେ ଗ୍ରାମବାସୀ ଅବହେଳା କରିଥିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଗାଁଲୋକେ କହିଛନ୍ତି । ଖଣ୍ଡିଆଗୁଡା ଗାଁରେ ଗତ ୧୫ ଦିନରେ ୫ ଜଣଙ୍କ ମୃତ୍ୟୁ ପରେ ଡାକ୍ତରୀ ଦଳ ଗାଁକୁ ଆସିଥିଲେ । ଡାକ୍ତରୀ ଟିମ ଫେରିବା ପରେ ଗାଁଲୋକଙ୍କ ନିମନ୍ତ୍ରଣରେ ଆସିଥିଲେ ୬ ଗୁରୁମାଇ । ୩ ବର୍ଷକୁ ଥରେ ହେବାକୁ ଥିବା ଗାଁ ବାଲିଯାତ୍ରା ୭ ବର୍ଷ ହେବ କରାଯାଇନାହିଁ, ଏଥିପାଇଁ ଗ୍ରାମବାସୀଙ୍କ ଉପରେ ଗ୍ରାମଦେବୀ ରାଗିଥିବା ଗାଁଲୋକେ ବିଶ୍ୱାସ କରୁଛନ୍ତି । ଏଥିପାଇଁ ୫ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଗାଁଲୋକେ କହିଛନ୍ତି ।