କନକ ବ୍ୟୁରୋ : ଗୋଟିଏ ପଟେ ଭାରତ ଚନ୍ଦ୍ର ଅଭିଯାନ ପରେ ଆଜି ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ହେଲେ ଏବେ ବି ଗ୍ରାମାଞ୍ଚଳର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଭାବନୀୟ କାଣ୍ଡ କରୁଛନ୍ତି । ବାଲେଶ୍ୱରରେ ମୃତ ନାବାଳକକୁ ବଞ୍ଚାଇବାକୁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା । ଜଳେଶ୍ୱର ଥାନା ବାଇଗଣବାଡିଆରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ମୃତ ନାବାଳକକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା କରିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ ବାଇଗଣବାଡିଆର କିଶୋର ଦଣ୍ଡପାଟଙ୍କ ନାବାଳକ ପୁଅ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଓହଲିପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ଅଚେତ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଘରକୁ ମୃତଦେହ ନେଇ ଫେରିଥିଲେ ପରିବାର ।

ନାବାଳକର ମୃତ୍ୟୁ ପାଇଁ ଟାଟା ପାୱାରକୁ ଦାୟୀ କରି କମର୍ଦା-ବାଲିଆପାଳ ମୁଖ୍ୟ ରାସ୍ତା ରୋକ କରିଥିଲେ । ଏସମୟରେ କେହି ଜଣେ ଠାକୁରାଣୀଙ୍କ ପୂଜାର୍ଚ୍ଚନା କଲେ ପୁଅ ବଞ୍ଚିବ ବୋଲି କହିବାରୁ ପରିବାର ଲୋକେ ଠାକୁରାଣୀଙ୍କ ପୁଜାର୍ଚ୍ଚନା କରିଥିଲେ । ଲୋକେ ପୁଅ ବଞ୍ଚିଛି ବୋଲି କହିବାରୁ ପୁଣି ମେଡିକାଲକୁ ନେଇଥିଲେ, ହେଲେ ଡାକ୍ତର ମୃତ ଘୋଷଣା କରିବା ପରେ ଘରକୁ ଫେରାଇ ଆଣିଥିବା ସୂଚନା ମିଳିଛି ।