ବିଜ୍ଞାନ ଯୁଗରେ ରାୟଗଡାରୁ ଆସିଲା ଅଭାବନୀୟ ଚିତ୍ର । ହାଡଫୁଟିରେ ଆକ୍ରାନ୍ତ ଲୋକେ କରୁଛନ୍ତି ଝଡାଫୁଙ୍କା ।

87

କନକ ବ୍ୟୁରୋ: ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସ । ସଚେତନତାର ଅଭାବ ଯୋଗୁଁ ଯେତେ ବୁଝାସୁଝା କଲେ ମଧ୍ୟ ମାନିବାକୁ ନାରାଜ ଲୋକ । ରୋଗ ହେଲେ ପେଜୁଣିର ଆଶ୍ରୟ ନେବେ ସିନା ଡାକ୍ତରଖାନା ଯିବାକୁ ନାରାଜ । ଡାକ୍ତରଖାନା ନେଲେ ଠାକୁରାଣୀ ରାଗିବେ, ରୋଗ କମିବା ପରିବର୍ତେ ବଢିବ । ଏହି ବିଶ୍ୱାସରେ ବନ୍ଧା ରାୟଗଡାର ଜୁରୁଡି ଗାଁର ଗ୍ରାମବାସୀ ହାଡଫୁଟିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଯିବା ବଦଳରେ ଗାଁରେ ଝଡାଫୁଙ୍କା କରାଇବା ସହ ପୂଜାର୍ଚନା କରୁଛନ୍ତି ।

ରାୟଗଡା ସହରରୁ ମାତ୍ର ୫ କିମି ଦୂର ଜୁରୁଡି ଗାଁ । ଗତ କିଛି ଦିନ ହେବ ଗାଁର କିଛି ଲୋକ ହାଡଫୁଟିରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ଲୋକେ ଡାକ୍ତରଖାନାକୁ ଯିବା ବଦଳରେ ଗୁଣିଆ ଡାକି ଝଡାଫୁଙ୍କା କରିବା ସହ ଗ୍ରାମ ଦେବତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଆଉ ଡାକ୍ତନଖାନାକୁ ଯିବାକୁ କହିଲେ, ସେମାନେ ନାରାଜ୍ । କାରଣ ଆଦିବାସୀ ସଂପ୍ରଦାୟର ଏହି ଲୋକଙ୍କ ମନରେ ଅନ୍ଧ ବିଶ୍ୱାସ ରହିଛି ଯେ, ଡାକ୍ତରଖାନାକୁ ଗଲେ ଠାକୁର ରାଗିବେ, ରୋଗ କମିବା ବଦଳରେ ବଢିବ ।

ହାଡଫୁଟି ହେଲେ ଅଦିବାସୀ ବହୁଳ ଗାଁରେ ବ୍ୟକ୍ତିଙ୍କୁ ଘରରୁ ମାତ୍ର ୫ କିଲୋମିଟର ଦୂର ଡାକ୍ତରଖାନା ନିଆଯାଏ ନାହିଁ । ଅନ୍ଧବିଶ୍ୱାସକୁ ଭରସା କରି ଡାକ୍ତରୀ ଚିକିତ୍ସା ନକରି ଗୁଣିଆ ଓ ପେଜୁଣିଙ୍କୁ ଡାକି ଛଡାଫୁଙ୍କା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି । ପେଜୁଣୀ ନିମ ଡାଳରେ ରୋଗୀଙ୍କୁ ଝାଡିବା ସହ ୪ ଦିନ ପର୍ଯ୍ୟନ୍ତ ଅଗାଧୁଆ ରୁହନ୍ତି । ୪ ଦିନ ପରେ ନିମପତ୍ର ଓ ହଳଦି ପାଣିରେ ଗାଧୋଇଲେ ହାଡଫୁଟି ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏପଟେ ଗାଁରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ହାଡଫୁଟି ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ଗାଁରେ ଆହୁରି ଅନେକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ଏଠାରେ ସଚେତନତାର ଆବଶ୍ୟକତା ରହିଛି ।