କରୋନାକୁ ନେଇ ଗୁଜବ: ନବରଙ୍ଗପୁରରେ ରାତି ଅଧରେ ଶିବ ମନ୍ଦିରରେ ଲାଗିଲା ଭିଡ; ଗୋଟିଏ ପୁଅ କିମ୍ବା ଝିଅ ଥିବା ଘରେ ସଂକଟ ଥିବା ନେଇ ଗୁଜବ ପ୍ରଚାର ପରେ ପୂଜାପାଠ

ସେପଟେ ସୋସିଆଲ ମିଡ଼ିଆରେ ମିଛ ଖବର ପ୍ରଚାର କରି କଳାହାଣ୍ଡିରେ ଜଣେ ଶିକ୍ଷକ ଗିରଫ

883

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନା ଭୁତାଣୁ ଯେଉଁଭଳି ଭାବରେ ବ୍ୟାପିବାରେ ଲାଗିଛି, ତାଠୁ ଅଧିକ ଖିପ୍ର ଗତିରେ ଓଡ଼ିଶାରେ ବ୍ୟାପୁଛି ଗୁଜବ । କେନ୍ଦୁଝର ପରେ ଏବେ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଗୁଜବର ଆଉ ଏକ ସାଂଘାତିକ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଆଉଁଳି ଗାଁରେ ସାମ୍ନାକୁ ଆସିଛି ଗୁଜବର ଅନ୍ୟ ଏକ ଅଭବାନୀୟ ଚିତ୍ର । ଏହି ଗାଁରେ ଗୋଟିଏ ପୁଅ କିମ୍ବା ଗୋଟିଏ ଝିଅ ଥିବା ପରିବାରର ସଦସ୍ୟ ରାତିରେ ଶିବ ମନ୍ଦିର ଯାଇ ପୂଜାପାଠ କରିଛନ୍ତି ।

ତେବେ ଶିବ ପୂଜା ନକଲେ ପରିବାରର ସନ୍ତାନ-ସନ୍ତତିଙ୍କ ପାଇଁ ସଂକଟ ଥିବା ଗୁଜବ ପ୍ରଚାର ହେବା ପରେ ଗତକାଲି ଶିବ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି । ରାତି ପ୍ରାୟ ସାଢ଼େ ୯ଟାରୁ ବିଳମ୍ବିତ ରାତି ଯାଏଁ ଗାଁର ଅନେକ ଲୋକ ଶିବମନ୍ଦିର ଯାଇ ପୂଜାପାଠ କରିଛନ୍ତି । ଆଉ ଏହି ପୁରା ଘଟଣାକୁ କରୋନାଭୁତାଣୁ ସହ ଯୋଡ଼ି ଦେବା ପରେ ଏହି ଗୁଜବ ଏବେ ଆହୁରୀ ଭୟର ମାହୋଲ ସୃଷ୍ଟି କରିଛି ।

ସେପଟେ, କରୋନା ଭାଇରସ ସମ୍ପର୍କିତ ମିଛ ଖବର ପ୍ରସାରିତ କରି ଗିରଫ ହେଲେ ଶିକ୍ଷକ । କଳାହାଣ୍ଡି ଗୋଲାମୁଣ୍ଡା ଥାନା ଡ଼ୁଡ଼ୁକେଲ ଗାଁର ବିନ୍ଦୁ ମହାନନ୍ଦ କରୋନାକୁ ନେଇ ମିଛ ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି । ଶିକ୍ଷକ ଜଣଙ୍କ ଗୋଲାମୁଣ୍ଡା ବ୍ଲକ ଖଳିଆକାନି ଗାଁର ଜଣେ କରୋନା ଆକ୍ରାନ୍ତ ଯୁବକ କବାଟ ବନ୍ଦ କରି ଘରେ ରହିଛି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଖବରଟି ଭାଇରାଲ ହେବା ପରେ ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିନ୍ଦୁ ମହାନନ୍ଦକୁ ଗିରଫ କରିଛି । ପୂର୍ବରୁ ଫେସବୁକରେ ମିଛ ଖବର ପୋଷ୍ଟ କରିବା ଘଟଣାରେ ରାୟଗଡ଼ା ଜିଲ୍ଲାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା ।