ରାଜଧାନୀରେ ବି ଅନ୍ଧବିଶ୍ୱାସ। ଦେବୀ ବେଶରେ ମହିଳାଙ୍କୁ ପୂଜା

347

କନକ ବ୍ୟୁରୋ: ନୂଆ ଶାଢୀ, ମୁଣ୍ଡରେ ଲାଲ୍ ଓଢଣୀ ଆଉ ମୁକୁଟ ପିନ୍ଧି କାରରୁ ଓହ୍ଲାଇଲେ ମହିଳା । ଏହି ମହିଳାଙ୍କୁ ନେଇ ଜୋର ଚର୍ଚ୍ଚା । କୁହାଯାଉଛି ଏହି ମହିଳାଙ୍କ ଦେହରେ ସବାର ହୋଇଛନ୍ତି ସାକ୍ଷାତ୍ ଦେବୀ । ଏଥିପାଇଁ ମହିଳାଙ୍କୁ ଫୁଲ ମାଳ ପିନ୍ଧାଇବା ସହ ଧୂପ ଦୀପ ଦେଇ ପୂଜା କରୁଛନ୍ତି ଅନ୍ୟ ମହିଳାମାନେ । ହୁଳୁହୁଳି ଓ ଘଣ୍ଟ, ଘଣ୍ଟା ବାଦ୍ୟରେ ଉଛୁଳି ପଡୁଛି ସାରା ପରିବେଶ । ଏଭଳି ଘଟଣା କୌଣସି ଉପାନ୍ତ ଅଞ୍ଚଳରୁ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରର ମୈତ୍ରୀ ବିହାରରୁ ଆସିଛି । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯେ, ଏହି ମହିଳାଙ୍କ ଦେହରେ ଆସିଛନ୍ତି ମାଆ ହାତୀଆଶୁଣି । ଆଉ ହାତୀଆଶୁଣି ମନ୍ଦିରରେ ହିଁ ମହିଳାଙ୍କ ପୂଜାର୍ଚ୍ଚନା କରାଯାଇଛି ।

ଦେବୀ ବେଶରେ ଆସିଥିବା ମହିଳାଙ୍କ ପାଦକୁ ହଳଦୀ ପାଣିରେ ଧୋଇ ଦେଉଛନ୍ତି ନିଜେ ମନ୍ଦିର ପୂଜକ । ସେଠାରେ ଉପସ୍ଥିତ ମହିଳାମାନେ ମୁଣ୍ଡରେ ସାଲୁକନା ବାନ୍ଧି ଜୟ ମାଆ ହାତୀଆଶୁଣି ସ୍ଲୋଗାନ୍ ଦେଉଥିବା ଦୃଶ୍ୟ ବି ସାମ୍ନାକୁ ଆସିଛି । ଏମାନଙ୍କ ବିଶ୍ୱାସ ଯେ, ମାନବରୂପରେ ମାଆ ହାତୀଆଶୁଣି ନିଜେ ଆସିଛନ୍ତି । ମାଆଙ୍କ ବେଶରେ ଆସିଥିବା ମହିଳା ସ୍ଥାନୀୟ ଲୋକ ଏବଂ ମନ୍ଦିର ପୂଜକ ଓ ଟ୍ରଷ୍ଟିଙ୍କ ସହ ମିଶି ଅନ୍ନ ପ୍ରସାଦ ମଧ୍ୟ ଖାଇଛନ୍ତି ।

ସେପଟେ ମଣିଷ ଦେହରେ ଦେବୀ ସବାର ହେବା ଘଟଣାକୁ ନେଇ ମନସ୍ତତ୍ୱବୀତଙ୍କ କହିବା କଥା, ଯେଉଁମାନେ ମନାସିକଭାବେ ଦୁର୍ବଳ ଥାନ୍ତି, ସେମାନଙ୍କ ଚରିତ୍ରରେ ଦେଖାଦିଏ ଏଭଳି ତ୍ରୁଟି । ସେହିପରି ହେତୁବାଦୀ ଏହି ଘଟଣାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି । ମାନବ ରୂପେ ଦେବୀ ଉଭା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । କିଛି ଲୋକେ ଏହି ଘଟଣାକୁ ବିଶ୍ୱାସ କରୁଥିବାବେଳେ କେହି କେହି ଅନ୍ଧବିଶ୍ୱାସ ବୋଲି କହୁଛନ୍ତି ।