ଅବୁଝା ମାଆର ଅନ୍ଧବିଶ୍ୱାସ…ମୟୂର ପୁଚ୍ଛରେ ଝାଡିଦେବା କ୍ଷଣି ଭଲ ହୋଇଯାଉଛି ପୁଅ…ଡାକ୍ତରଙ୍କ ଉପରେ ପାଉନି ଭରସା, ୧୦ ବର୍ଷ ହେଲା ରୋଗୀଣା ପୁଅ ପାଖରେ ବସି ମୟୂର ପୁଚ୍ଛରେ ଝାଡୁଛି ମାଆ

ମାଲକାନଗିରି ମାଥିଲି ଅଂଚଳରୁ ଆସିଲା ଅବିଶ୍ୱାସନୀୟ ଖବର

745

କନକ ବ୍ୟୁରୋ: ଦିନେ କି ଦୁଇ ଦିନ ନୁହଁ ବରଂ ବର୍ଷ ବର୍ଷ ଧରି ହେବ ଅନ୍ଧବିଶ୍ୱାସର ବଶବର୍ତ୍ତର୍ି ହୋଇ ଭେଣ୍ଡିଆ ପୁଅକୁ ଥରୁଟିଏ ବି ମେଡିକାଲ ନେଇନାହାନ୍ତି ଆଦିବାସୀ ପରିବାର । ଅଜଣା ରୋଗରେ ପୀଡିତ ପୁଅକୁ ମୟୂର ପୁଚ୍ଛ ମୁଠାରେ ଆଉଁସିଲେ କ୍ଷଣକ ପାଇଁ ଆଶ୍ୱସ୍ତି ପାଉଛି । ସେଥିପାଇଁ ନିଜ ପୁଅକୁ ସବୁ ଦିନେ ମୟୂର ପୁଚ୍ଛ ମୁଠାରେ ଝାଡି ଦେଉଛି ମାଆ । ପରେ ସନ୍ଧ୍ୟା ସମୟରେ ଗୁଣିଆ କରୁଛି ଚିକିତ୍ସା । ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳରୁ ଆସିଛି ଏମିତି ଏକ ଅବିଶ୍ୱାସନୀୟ ଖବର ।

ପିଛା ଛାଡୁନି ଅନ୍ଧବିଶ୍ୱାସ । ଆଧୁନିକ ଯୁଗରେ ବି ପଛରେ ପଡିନି ଅନ୍ଧବିଶ୍ୱାସର ଛାପରେ ଥିବା ଆଦିବାସୀଙ୍କ ଭାଗ୍ୟ । ବିଜ୍ଞାନ ଯୁଗରେ ଝଡାଫୁଙ୍କାର ଭରସା । ସଚେତନତାର ନଗ୍ନ ଚିତ୍ର । ସ୍ୱାସ୍ଥ୍ୟସେବା ଅପହଂଚର ଜଳନ୍ତ ଉଦାହରଣ । ସେଥିମଧ୍ୟରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜାମ୍ବଗୁଡା ଗାଁର ଦେବା ପଡିଆମୀଙ୍କ ପରିବାର । ତେବେ ଦେବା ପେଟରେ ପୋଳାଜଳା ଓ ବାନ୍ତି ହେଉଥିବାବେଳେ ମୟୂର ପୁଚ୍ଛ ମୁଠାରେ ଝାଡିଦେଲେ କିଛି କ୍ଷଣ ପାଇଁ ଆଶ୍ୱସ୍ତି ଅନୁଭବ କରୁଥିବା କହନ୍ତି ଦେବାଙ୍କ ମାଆ । ସେଥିପାଇଁ ପୁଅକୁ ସବୁ ଦିନ ୫ ରୁ ୬ ଥର ଝାଡିବାକୁ ପଡେ । ତେବେ ପିଲାଟି ଦିନରୁ ଏପରି ନଥିଲେ ଦେବା । ସବୁ ପିଲା ଭଳି ସେ ମଧ୍ୟ ପାଠ ପଢିବାକୁ ଆଗ୍ରହରେ ସ୍କୁଲକୁ ଯାଉଥିଲେ । ଚେଡେଙ୍ଗା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଢୁଥିଲେ ଦେବା ।

କିନ୍ତୁ ବିଧିର ବିଧାନ ଥିଲା ଅଲଗା । ହଠାତ ଦୁର୍ବଳ ଅନୁଭବ କରିଥିଲେ ଦେବା । ଧିରେ ଧିରେ ଖାଇବା ପିଇବା କ୍ଷେତ୍ରରେ ଆଉ ରୁଚି ଆସିଲାନି । ପେଟ ଜୋଳାପଳା ହେବା ସହିତ ବାନ୍ତି ଏବଂ ଦୁର୍ବଳ ଅନୁଭବ କରିଥିଲେ ଦେବା ପଡିଆମୀ । ସେବେଠୁ ଘରୁ ପଦାକୁ ବାହାରିବା ଅବସ୍ଥାରେ ଆଉ ନାହାନ୍ତି ସେ । ଶଯ୍ୟାଶାୟୀ ହୋଇପଡିଛନ୍ତି । ଖାଇବା ଧରିବା ଦେହରେ ଶକ୍ତି ମଧ୍ୟ ନାହିଁ । ତେବେ ଏପରି ଅବସ୍ଥାରେ ଥିବା ପୁଅକୁ ମେଡିକାଲ ନେବା ବଦଳରେ ପରିବାର ଲୋକେ ଗଣିଆକୁ ଭରସା କଲେ । ଝଡାଫୁଙ୍କାରେ ଦେବା ଭଲ ହୋଇଯିବ ବିଶ୍ୱାସ କରି ୧୦ ବର୍ଷ ହେବ ଏମିତି ଚିକିତ୍ସା କରୁଛନ୍ତି ପରିବାର । କିନ୍ତୁ ଅଜଣା ରୋଗରେ ମୟୂର ପୁଚ୍ଛ ମୁଠାରେ ଝାଡିଦେଲେ ସାମାନ୍ୟ ଆଶ୍ୱସ୍ତି ଅନୁଭବ ହେଉଥିବା କହିଛନ୍ତି ଦେବାଙ୍କ ପରିବାର । ଅର୍ଥ ନାହିଁ ବୋଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ମନ ବଳାଉନାହାନ୍ତି ପରିବାର । ଝଡାଫୁଙ୍କା ଓ ମୟୂର ପୁଚ୍ଛ ମୁଠାରେ ଚିକିତ୍ସା ଲୋକଙ୍କ ମାନସିକ ଧାରଣା ।

ବିଜ୍ଞାନ ଯୁଗରେ ହଟିନି ଅନ୍ଧବିଶ୍ୱାସ ଭଳି କରୁଣ ପରିଣତି । ସରକାରୀସ୍ତରରେ ବ୍ୟାପକ ସଚେତନତା ହେଉଥିଲେ ହେଁ ଲୋକଙ୍କ ମନରୁ ଲିଭିନି ଝଡାଫୁଙ୍କା, ତନ୍ତ୍ରବଦ୍ୟା ଭଳି ଅସତ୍ୟ ବିଶ୍ୱାସ । ଉପାନ୍ତ ଅଂଚଳରେ ହୁଏତ ଦେବା ଭଳି ଅନେକ ନଥିବେ ତାହାର ଅନୁମାନ ବା କିଏ କହିପାରିବ ।