କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଡିଲା ଭୋଟ, ଧାଡିରେ ରହି ମତଦାନ ସାବ୍ୟସ୍ତ କଲେ ଜନତା, ନେତା ଆଉ ଅଭିନେତା । ଦକ୍ଷିଣ ଭାରତୀୟ ସିନେମା ଜଗତର ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ, ବିଜୟ ସେତୁପଥି, ଧନୁଷ ପ୍ରମୁଖ ଗଣତନ୍ତ୍ରର ଏହି ଐତିହାସିକ ମୁହୂର୍ତ୍ତରେ ନିଜକୁ ସାମିଲ କରିଛନ୍ତି । ରଜନୀକାନ୍ତ କର୍ଣ୍ଣାଟକ ଓ କମଲ ହାସନ ତାମିଲନାଡୁ ସ୍ଥିତ ନିଜ ପୈତୃକ ଗାଁରେ ଥିବା ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି । ସେହିପରି ଧନୁଷ କୁମାର ତାମିଲନାଡୁ ଟିଟିକେ ରୋଡରେ ଥିବା ସେଂଟ ଜାଭିୟର୍ସ ସ୍କୁଲରେ ଥିବା ବୁଥ ଏବଂ ବିଜୟ ସେତୁପଥି ଚେନ୍ନାଇ ହାଇସ୍କୁଲ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ସୁପରଷ୍ଟାର ମାନେ ଭାରତୀୟ ନାଗରିକ ଭାବେ ନିଜ ଦାୟିତ୍ୱ ପାଳନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଭୋଟ ଗ୍ରହଣ ପ୍ରକ୍ରିୟାରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ।

Advertisment
  • ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା
  • ମତ ସାବ୍ୟସ୍ତ କରିବାକୁ ବୁଥରେ ପହଁଚିଲେ ନବଦମ୍ପତି
  • ଆସାମ ଜୋରାହାଟରେ ଭୋଟ୍ ପାଇଁ ବୋଟ୍ ଭରସା

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ମହାରାଷ୍ଟ୍ରରେ ୫ଟି ସିଟ୍ ପାଇଁ ଭୋଟଗ୍ରହଣ କରାଯାଇଥିବା ବେଳେ ବୁଥରେ ପହଁଚି ଭୋଟ ଦେଇଛନ୍ତି ବିଶ୍ୱର ସବୁଠୁ କମ୍ ଉଚ୍ଚତାର ମହିଳା ଜ୍ୟୋତି ଆମେ । ଜ୍ୟୋତି ନିଜ ପରିବାର ସହ ଭୋଟ ଦେଇଥିବା ବେଳେ ଅନ୍ୟ ମାନଙ୍କୁ ମଧ୍ୟ ଭୋଟ ଦେବାକୁ ଅପିଲ୍ କରିଛନ୍ତି ।

ସେହିପରି ଉତରପ୍ରଦେଶ ମୁଜାଫରନଗରେ ବିବାହ ବେଦୀରୁ ସିଧା ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ମତ ସାବ୍ୟସ୍ତ କରିଛନ୍ତି ଦୀପା ନାମକ ନବବଧୂ । ନୂଆ ସଂସାର ଗଢିବାକୁ ଯାଉଥିବା ବେଳେ ନୂଆ ସରକାର ଗଠନରେ ତାଙ୍କର ଏହି ନିଷ୍ଠାକୁ ସୋସିଆଲ ମିଡିଆରେ ବେଶ ପ୍ରଂଶସା କରାଯାଇଛି । ସେପଟେ ଆସାମ ଜୋରାହାଟରେ ମତଦାତା ମାନେ ବୋଟରେ ନଦୀପାର ହୋଇ ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି ।

୫ ବର୍ଷରେ ଥରେ ନିର୍ବାଚନ ଆସିଥାଏ । ଏହି ପ୍ରକ୍ରିୟାରେ ସାମିଲ ହୋଇ ଭୋଟ ଦେବା ସହିତ ନୂଆ ସରକାର ଗଠନରେ ଅବଦାନକୁ କିଏ ବା ହାତଛଡା କରିବାକୁ ଚାହେଁ, ସେ ଜନତା ହୁଅନ୍ତୁ କି ନେତା ଅବା ଅଭିନେତା ।