ସଲାମ୍ ସୋନୁ ଭାଇ । ରାକ୍ଷୀ ପୂର୍ଣ୍ଣିମାରେ ସୋନୁଙ୍କ ମହାନତା । ସୋସିଆଲ ମିଡିଆରେ ମହିଳାଙ୍କ ଗୁହାରି ଶୁଣିଲେ ସୋନୁ । ଅୟହାୟ ମହିଳାଙ୍କ ପଲିଥିନ୍ ଘରକୁ ପକ୍କା ଘର କରିଦେବାକୁ ଦେଲେ ପ୍ରତିଶ୍ରୁତି ।

3,260

କନକ ବ୍ୟୁରୋ : ସୋନୁ, ଅସହାୟଙ୍କ ଅନ୍ନଦାତା, ଶ୍ରମିକଙ୍କ ସାକ୍ଷାତ ଭଗବାନ ଆଉ ଦୁଃଖୀ ଦରିଦ୍ରଙ୍କ ଦେବଦୂତ । ମହାମାରୀ ସମୟରେ ମଣିଷପଣିଆର ମନ୍ଦିର ପାଲଟିଥିବା ସୋନୁ ସୁଦଙ୍କର ଏମିତି ଅନେକ ରୂପ ଦେଖିଆସୁଛି ଦେଶ । ଯିଏ ଯେଉଁଠିବି ସୋନୁଙ୍କୁ ନିଜ ସଂଘର୍ଷ ଜଣାଉଛି, ଦେବଦୂତ ସାଜି ଦୁଃଖ ଶୁଣୁଛନ୍ତି ସୋନୁ । ଆଉ ଏହାରି ଭିତରେ ରାକ୍ଷୀ ପୂର୍ଣ୍ଣିମାରେ ସୋନୁଙ୍କ ଆଉ ଏକ ମହାନତାର କାହାଣୀ ସାମନାକୁ ଆସିଛି, ଯାହା ଆପଣଙ୍କ ହୃଦୟ ଜିଣିନେବ ।

ଏହି ଘର ହିଁ ଜଣେ ବେସାହାରା ମହିଳାଙ୍କ ବାସସ୍ଥଳୀ । ଚିରା ଫଟା ବ୍ୟାନରରେ ବନ୍ଧା ହୋଇଛି କବାଟ, ବାଉଁଶ ପାତିଆ କାନ୍ଥରେ ଘୋଡାଯାଇଛି ପଲିଥିନ୍ । ଅଭାବ ଅନଟନର ଏହି ଅନ୍ଧାରୁଆ ଝୁମ୍ପୁଡି ଘରେ ଜୀବନ ଅତିବାହିତ କରନ୍ତି ଜଣେ ଅସହାୟ ମହିଳା । ତେବେ ଏନେଇ ସୋନାଲ ସିଂହ ନାମକ ଜଣେ ଟ୍ୱିଟର ୟୁଜର୍ ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍ କରିବା ସହ ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ ।

ରକ୍ତର ସମ୍ପର୍କ ନଥିଲେ ବି ରାକ୍ଷୀ ପୂର୍ଣ୍ଣିମାରେ ଘର ନଥିବା ଜଣେ ଗରିବ ଭଉଣୀଙ୍କୁ ଘରଟିଏ କରିଦେବା ପାଇଁ ଭରସା ଦେଇଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଟ୍ୱିଟ୍ କରି ସୋନୁ ଲେଖିଛନ୍ତି, ଚାଲନ୍ତୁ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଆସାମର ଆମର ଏହି ଭଉଣୀଙ୍କ ଏକ ନୂଆ ଘର ତିଆରି କରିବା ।

ଦେଶର କୋଣ ଅନୁକୋଣରୁ ଯେଉଁଠି ବି ସୋନୁଙ୍କ କାନରେ କାହା କଷ୍ଟ ପଡୁଛି, ସାଙ୍ଗେ ସାଙ୍ଗେ ସାହା ହେଉଛନ୍ତି । ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସୋନୁ ସୁଦ୍ । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟି ଯାଇଛନ୍ତି ରିଅଲ୍ ଲାଇଫର ହିରୋ ।