ଅଧ ରାତିରେ ମାଡି ଆସିଥିଲା ମୃତ୍ୟୁ… ଝଡ ବୋହିଥିଲା, ଜୁଆର ଉଠିଥିଲା । ବନ୍ୟା ପାଣିରେ ଭାସିଯାଉଥିଲା କୁଢକୁଢ ଶବ ? ମହାବାତ୍ୟାକୁ ୨୨ ବର୍ଷ ।

177

କନକ ବ୍ୟୁରୋ: ୨୯ ଅକ୍ଟୋବର ୧୯୯୯ । ଠିକ ୨୨ ବର୍ଷ ତଳେ ଆଜିର ଦିନରେ ଆସିଥିଲା ଓଡିଶା ଇତିହାସର ସବୁଠୁ ପ୍ରଳୟଙ୍କରୀ ବାତ୍ୟା । ଅବିଶ୍ରାନ୍ତ ବର୍ଷା, ସୁ ସୁ ପବନ । ହଠାତ ଆକାଶରେ ଘୋଟି ଆସିଥିଲା ଆତଙ୍କର କଳା ବାଦଲ । ୨୮ ତାରିଖ ଦିନ ସ୍ୱାଭାବିକ ଥିଲା ପାଗ, ଶୂନଶାନ ଥିଲା ପରିବେଶ । ବୋଧହୁଏ ତାହା ଥିଲା ଝଡ ପୂର୍ବର ନିରବତା । କାରଣୁ ଅଚାନକ ବଦଳି ଯାଇଥିଲା ସବୁକିଛି । ମେଘ ମାଡି ଆସିଥିଲା, ପବନ ବୋହିବାକୁ ଲାଗିଲା । ମଝି ସମୁଦ୍ରରୁ ବିକଟାଳ ଗର୍ଜନ ଛାଡି ସ୍ଥଳ ଭାଗକୁ ମାଡି ଆସିଥିବା ମହାବାତ୍ୟା ସବୁକିଛି ଛାରଖାର କରିଦେଲା । ଭାଙ୍ଗିଗଲା ବଡ ବଡ ଗଛ , ଭାସିଗଲା ଘରଦ୍ୱାର । ୨ ମହଲା ଉଚ୍ଚରେ ଜୁଆରରେ ଲିନ ହୋଇଗଲା ଜନଜୀବନ । ଆଉ କାଳ କାଳ ପାଇଁ ମୁକସାକ୍ଷୀ ହୋଇ ରହିଗଲା ମହାବାତ୍ୟାର ମହାତାଣ୍ଡବ ।

ଝଡ ବାତ୍ୟାର ପ୍ରକୋପ ଟିକେ କମିବା ପରେ ବଢିଥିଲା ଜଳ ଯନ୍ତ୍ରଣା । ବଢି ପାଣିରୁ ବଞ୍ଚିବାକୁ କିଏ ଜୀବନ ନେଇ ଧାଇଁଥିଲା ତ କିଏ ପିଲାଛୁଆ ନେଇ ଉଚ୍ଚା ସ୍ଥାନକୁ ଦୌଡିଥିଲା । ହେଲେ ପାଣିର ପ୍ରଖର ସୁଅରୁ ବର୍ତ୍ତିବା ଏତେ ସହଜ ନଥିଲା । ବନ୍ୟାରେ ଯେଉଁମାନେ ଭାସି ଯାଇଥିଲେ ସେମାନଙ୍କ ପତା ମିଳି ନଥିଲା । କିନ୍ତୁ ଯେଉଁମାନେ କ୍ଷଣିକରେ ବଞ୍ଚି ଯାଇଥିଲେ ସେମାନେ ଦେଖିଥିଲେ ମହାବାତ୍ୟାର ମହାରୂପକୁ । ସେମାନେ ଦେଖିଥିଲେ ଗୋଟେ ଗୋଟେ ଗାଁ ଶ୍ମଶାନ ହୋଇଯିବାର, ବନ୍ୟା ପାଣିରେ କୁଢ କୁଢର ଶବ ଭାସି ଯାଉଥିବାର ।

 

ମହାବାତ୍ୟାର ମହାରୂପ କେତେ ଭୟଙ୍କର, କେତେ ବିକଟାଳ ଆଉ କେତେ ହୃଦୟଥରା ତାହା ୨୨ ବର୍ଷ ତଳେ ଆଖିରେ ଦେଖିଛି ଓଡିଶା । ପାଖରୁ ଅନୁଭବ କରିଛନ୍ତି ପ୍ରିୟଜନଙ୍କୁ ହରାଇଥିବା ଲୋକେ । କିଏ ଚାଳ ଉପରୁ ତ କିଏ ଗଛ ଉପରେ ଚଢି ଦେଖିଛି କେତେ ଭୟଙ୍କର ମହାବାତ୍ୟାର ରୂପ । ଆଉ ପୁଣି କିଏ କୁଟା ଖଣ୍ଡେକୁ ଆଶ୍ରା କରି ବାତ୍ୟା ପାଟିରୁ ଅଳ୍ପକେ ବର୍ତ୍ତି ଯାଇଛି । ବିପଦ ମୁହଁରୁ ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ସାଜିଛନ୍ତି ମହାବାତ୍ୟାର ମୁକସାକ୍ଷୀ । ଆଉ ବର୍ଷ ବର୍ଷ ଧରି ବଖାଣି ଚାଲିଛନ୍ତି ବାତ୍ୟାର ସେ ବିଭିଷୀକାକୁ । ଏଇ ଯେମିତି କେନ୍ଦ୍ରାପଡାର ପାଣି ଖିଆ ଗାଁ ଲୋକଙ୍କ ଆଖିରେ ଆଜି ବି ନାଚି ଯାଉଛି ସେଦିନର ଛାତିଥରା ଚିତ୍ର । ସମୁଦ୍ର ଠାରୁ ମାତ୍ର ୫ କିମି ଦୂରରେ ଘର । ଆଗରୁ ଅନେକ ବାତ୍ୟାକୁ ସହିଛନ୍ତି । ହେଲେ ସେଦିନର ବାତ୍ୟା ଅସହ୍ୟ ଥିଲା । ଝଡ ଥମିବା ପରେ ଯେତେବେଳେ ପାଣି ପ୍ରଳୟ ରଚି ଆସିଥିଲା ସମସ୍ତେ ଏଇ ଘରେ ରହିଥିଲେ । ଆଉ ଜଳର ସ୍ତର ବଢିବା ପରେ ସମସ୍ତେ ଜୀବନ ବିକଳରେ ଚାଳ ଉପରକୁ ଚଢିଯାଇଥିଲେ । ହେଲେ ପାଣି ମାଡରେ ଭୁଶୁଡିଗଲା ଘର, ଭାସିଗଲେ ଲୋକେ । ବନ୍ୟାରେ ବୁଡିଗଲେ ୧୩ ଜଣ । ଆଉ ସେହି କଳାଦିନର ସ୍ମୃତିକୁ ଆଜି ସାକ୍ଷୀ କରି ରଖିଛନ୍ତି ଗାଁର ଲୋକେ । ଏଇ ସ୍ଥାନରେ ହିଁ ମାଟି ଘର ସେତେବେଳେ ଭାସିଯାଇଥିଲା ଆଉ ଏବେ ପରିବାର ଲୋକେ ପୁଣି ଥରେ ଘର କରି ମହାବାତ୍ୟାର ସ୍ମୃତିକୁ ବଞ୍ଚଇ ରଖିଛନ୍ତି ।

ଅକ୍ଟୋବର ଆସିଲେ ଆତଙ୍କିତ ହୁଏ ମନ, ଛାତିରେ ପଶେ ଛନକା । ଦିନ ସିନା ଯାଇଛି କିନ୍ତୁ ଏବେବି ସେ ଚିହ୍ନ ରହିଛି, ଛାତିରୁ ଯାଇନି ଦରଜ । ସେଦିନର କାଳ ରାତିର କରୁଣ କାହାଣୀ ଏବେ ବି ମନେ ପଡିଗଲେ, ଭୟଙ୍କର ରାତିର ବିକଟାଲ ରୂପ ଆଖି ସାମ୍ନାରେ ନାଚିଗଲେ ଥରିଉଠେ ଛାତି, ଟାଙ୍କୁରି ଉଠେ ଲୋମ । କାରଣ ୨୨ ବର୍ଷ ତଳେ ଏବ ବଡ ବିପଦକୁ ସାମ୍ନା କରିଥିଲା ଓଡିଶା । ମହାବାତ୍ୟା ସହ ମୁହାଁମୁହିଁ ହୋଇଥିଲେ ଓଡିଶାବାସୀ ।