କନକ ବ୍ୟୁରୋ: ବିହାର ସୁପୌଲରେ କୋସି ନଦୀରେ ବଡ ଅଘଟଣ । ଏହି ନଦୀ ଉପରେ ନିର୍ମାଣ ହେଉଥିବା ଦେଶର ସବୁଠାରୁ ଲମ୍ବା ସଡ଼କ ପୋଲର ଏକ ବଡ ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଶ୍ରମିକ ତଳେ ଚାପି ହୋଇରହିଥିବା ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ, ପୋଲର ୫୦, ୫୧ ଓ ୫୨ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି। ବ୍ରିଜ ତଳେ ୨୦ରୁ ଅଧିକ ଲୋକ ଫସି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ସେତୁ ।
୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ୟ୍ୟ ଶେଷ ହେବାର ଥିଲା, ଯାହା ଏବେ ୨୦୨୪ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୬ ପ୍ରତିଶତ ସେତୁ କାମ ଶେଷ ହୋଇଛି। ଏଥିରେ ମୋଟ ୧୭୧ଟି ସ୍ତମ୍ଭ ଥିବା ବେଳେ ସେଥିରୁ ୧୬୬ରୁ ଅଧିକ ସ୍ତମ୍ଭ ପ୍ରସ୍ତୁତ ହୋଇସାରିଛି। ଏହି ପୋଲରେ ସମୁଦାୟ ୩ କିଲୋମିଟର ଆପ୍ରୋଚ ରୋଡ ରହିଛି ।
Follow Us