କଅଁଳ କଢିଙ୍କ କରୁଣ କାହାଣୀ: ଦେଶରେ ବଢୁଛି ନାବାଳିକା ବଳାତ୍କାର ? ୬ ମାସରେ ୨୪ ହଜାର ଶିଶୁଙ୍କୁ ବଳାତ୍କାର

ନାବାଳିକା ବଳାତ୍କାର ନେଇ ନିଜ ଆଡୁ ମାମଲା କଲେ ସୁପ୍ରିମକୋର୍ଟ

161

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ଶିଶୁଙ୍କ ଉପରେ ଶାରୀରିକ ଅତ୍ୟାଚାର । କେବଳ ରାଜ୍ୟ ନୁହେଁ ସାରା ଦେଶରେ ନାବାଳିକାଙ୍କ ଉପରେ ହେଉଛି ଯୌନ ନିର୍ଯାତନା । ଜୀବନ କଣ ଜାଣିବା ଆଗରୁ, ଦୁନିଆ କଣ ଦେଖିବା ଆଗରୁ ସେମାନଙ୍କ ଉପରେ ହେଉଛି ଆଖିବୁଜା ଅତ୍ୟାଚାର । ଯୌନ ପିପାସୁ ରାକ୍ଷସମାନେ କଅଁଳ କଢିଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି । ଯୌନ ଲାଳସା ଏତେ ଅଧିକ ହେଉଛି ଯେ ସେମାନେ ୬-୭ ମାସର ଶିଶୁଙ୍କୁ ବି ଛାଡୁ ନାହାନ୍ତି ।

ତେବେ ନାବାଳିକା ଦୁଷ୍କର୍ମ ନେଇ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ ହୁଏ । ସବୁ ଦିନ ସବୁ ସମ୍ବାଦ ପତ୍ରରେ ଶିରୋନାମ ପାଲଟେ ନାବାଳିକା ନିର୍ଯାତନା । ତେବେ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଆଉ ଜାଣିବାକୁ ଚାହିଁଛନ୍ତି ଗତ ୬ ମାସ ମଧ୍ୟରେ ସାରା ଦେଶରେ କେତେ ନାବାଳିକା ବଳାକ୍ରାରର ଶିକାର ହୋଇଛନ୍ତି ଆଉ କେତେ ମାମଲାରେ କେତେ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଘଟଣାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟ ରେଜଷ୍ଟ୍ରିଙ୍କୁ ଏ ବାବଦରେ ଜଣାଇବାକୁ କହିଥିଲେ । ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ରେଜଷ୍ଟ୍ରି ଅଫିସ ଦେଶର ସବୁ ହାଇକୋର୍ଟରୁ ପରିସଂଖ୍ୟାନ ମାଗିଥିଲେ । ଆଉ ପରିସଂଖ୍ୟାନ ମିଳିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ପରିସଂଖ୍ୟାନରେ ଥିଲା କି ୬ ମାସ ମଧ୍ୟରେ ୨୪ ହଜାର ନାବାଳିକାଙ୍କୁ ବଳାକ୍ରାର କରାଯାଇଛି । ଚଳିତ ବର୍ଷ ଜାନୁୟାରୀରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ୨୪ ହଜାର ଶିଶୁଙ୍କ ଯୌନ ଶୋଷଣର ଶିକାର ହୋଇଛନ୍ତି ।
୩୦ ଜୁନ ସୁଦ୍ଧା ଦେଶରେ ୨୪ ହଜାର ୨୧୨ଟି ଦୁଷ୍କର୍ମ ଅଭିଯୋଗ ହୋଇଛି । ସେଥି ମଧ୍ୟରୁ ୧୧ ହଜାର ୯୮୧ଟି ମାମଲାର ଯାଞ୍ଚ ଚାଲିଛି । ୧୨ ହଜାର ୨୩୧ଟି ମାମଲାର ଚାର୍ଜସିଟି ଦାଖଲ ସରିଛି ଏବଂ ୬୪୯୯ଟି ମାମଲାର ଶୁଣାଣି ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଉଛି କି ୨୪ ହଜାରରୁ ଅଧିକ ଏଫଆଇଆର ମଧ୍ୟରୁ ମାତ୍ର ୯୧୧ଟି ମାମଲାର ଫଇସଲା ହୋଇଛି ।

ତେବେ ନାବାଳିକା ବଳାକ୍ରାର କ୍ଷେତ୍ରରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି । ଯୋଗୀ ସରକାରଙ୍କ ରାଜ୍ୟରେ ଗତ ୬ ମାସ ମଧ୍ୟରେ ୩୪୫୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଆଉ ଏ ସମସ୍ତ ମାମଲା ମଧ୍ୟରୁ ମାତ୍ର ୧୭୭୯ଟିର ଯାଞ୍ଚ ଚାଲିଛି ଯାହା ୟୁପି ପୋଲିସର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛି । ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ୨୩୮୯ଟି ମାମଲା ୬ ମାସରେ ରୁଜୁ ହୋଇଛି ଆଉ ସେଠି ୧୮୪୧ଟି କେସରେ ଚାର୍ଜସିଟ ଦାଖଲ କରାଯାଇଛି ।

ତେବେ ନାବାଳିକା ବଳକ୍ରାର ସଂଖ୍ୟା ଶୁଣି ସାରା ଦେଶ ଅବାକ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ଆସନ୍ତା ସୋମବାର ଏହାର ଶୁଣାଣି ହେବ । ସୋମବାର ଉକ୍ତ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି, ଏକ ବଡ ରାୟ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ୬ ମାସରେ ଏଭଳି ପାଶବିକ ଘଟଣାକୁ ସମସ୍ତେ ଛି…ଛି କରିଛନ୍ତି ।