ରାଜ୍ୟରେ ବଢ଼ୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା । ଯାଜପୁର ଏନସି କଲେଜରେ ଇଭିଏମ ବଂଟନ ବେଳେ ପୋଲିଂ କର୍ମଚାରୀ ଅସୁସ୍ଥ, ବରଗଡ଼ରେ କାମ କରୁଥିବା ବେଳେ ଟଳିପଡ଼ିଲେ ଶ୍ରମିକ

240

କନକ ବ୍ୟୁରୋ : ଯାଜପୁରରେ ଇଭିଏମ୍ ବଂଟନ ବେଳେ ଅସୁସ୍ଥ ହୋଇପଡିଲେ ପୋଲିଂ କର୍ମଚାରୀ । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ପୋଲିଂ କର୍ମଚାରୀ । ତାଙ୍କୁ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ଆସନ୍ତାକାଲି ଯାଜପୁର ଜିଲ୍ଲାରେ ମତଦାନ ହେବ । ଏଥିପାଇଁ ଆଜି ଇଭିଏମ୍ ବଂଟନ କରାଯାଉଛି । ଯାଜପୁର ଏନସି କଲେଜରେ ପ୍ରାୟ ୧୨ ହଜାର ପୋଲିଂ କର୍ମଚାରୀ ଏକାଠି ହୋଇଛନ୍ତି । ଏଠାରୁ ଇଭିଏମ୍ ନେଉଛନ୍ତି । ସେତିକି ବେଳେ ଜଣେ ପୋଲିଂ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ମିଳିନଥିଲା । ସହଯୋଗୀମାନେ ଟେକି ଟେକି ଡାକ୍ତରଖାନାକୁ ନେଇଛନ୍ତି । ତେବେ ଇଭିଏମ୍ ବଣ୍ଟନ ବେଳେ ଖରାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିବାରୁ କର୍ମଚାରୀ ହିନସ୍ଥା ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ବରଗଡରେ କାମ କରୁଥିବା ବେଳେ ଟଳି ପଡିଲେ ଶ୍ରମିକ । ବରଗଡ ବଜାରରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ୩୨ ବର୍ଷିୟ ସୁବଳ ବେହେରା । ତୁରନ୍ତ ତାଙ୍କୁ ସଦର ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଅଂଶୁଘାତ ଯୋଗୁଁ ସୁବଳଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୁବଳ ବଜାରରେ ବିଭିନ୍ନ ଦୋକାନରେ ଶ୍ରମିକ ଭାବେ କାମ ପରିବାର ପ୍ରତିପୋଷଣ କରନ୍ତି । ଆଜି ମଧ୍ୟ କାମ କରିବାକୁ ଆସିଥିଲେ ।