କନକ ବ୍ୟୁରୋ: ୧୯୯୮ ମସିହାରେ ମେ ମାସରେ ଓଡିଶା ପାଇଁ ସନଷ୍ଟ୍ରୋକ୍ ଏକ ନୂଆ ଆତଙ୍କ ହୋଇ ସାମ୍ନାକୁ ଆସିଥିଲା । ପ୍ରତିଦିନ ଏକାଧିକ ମୃତ୍ୟୁ ଖବର ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଆଉ ସେତିକି ବେଳେ ସନଷ୍ଟ୍ରୋକର ଓଡିଆ ଭାଷାନ୍ତର ଅଂଶଘାତ କରାଗଲା । ଦୀର୍ଘ ୨୬ ବର୍ଷ ପରେ ପୁଣି ମେ ମାସରେ ଅଂଶୁଘାତର ଆତଙ୍କ ଫେରିଛି । ମାତ୍ର ଦୁଇ ଦିନ ଭିତରେ ୪୪ ଜଣଙ୍କ ଜୀବନ ଅଂଶୁଘାତରେ ଯାଇଥିବା ଆଶଙ୍କା କରାଯାଉଛି । ଏହାକୁ ନେଇ ପ୍ରଶାସନ ତତ୍ପର ହୋଇଛି । ମୃତ୍ୟୁର ତଦନ୍ତ ପାଇଁ ନିର୍ଦେଶ ଦିଆଯିବା ସହ ମୁକାବିଲା ପାଇଁ ଘନ ଘନ ବୈଠକ ବସୁଛି । ଆକାଶରୁ ଅଗ୍ନୀ ବର୍ଷୁଥିବା ବେଳେ ସତର୍କ ରହିବାକୁ ସଚେତନ କରାଯାଉଛି ।

ଯୋଡ଼ା ୫୨୦ ନମ୍ବର ଜାତୀୟ ରାଜପଥ ବାରବାଙ୍କ ଘାଟି । ରାସ୍ତା କଡ଼ରେ ଆଇରନ୍ ବୋଝେଇ ଟ୍ରକ । ହଠାତ୍ ଷ୍ଟିଅରିଂ ଉପରେ ଟଳି ପଡ଼ିଲେ ଡ୍ରାଇଭର । ପ୍ରବଳ ତାତି ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି । ମୃତ ଡ୍ରାଇଭରଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡିଛି ।

ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ସଙ୍ଗୀନ ହୋଇଯାଇଛି ସ୍ଥିତି । ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଅମ୍ବାଭାବିକ ମୃତ୍ୟୁ ଖବର ଚିନ୍ତା ବଢାଇ ଦେଇଛି ।

ରାଉରକେଲାରେ ୧୩ ଓ ସୁନ୍ଦରଗଡ଼ରେ ୭ ଜଣଙ୍କ ମୃତ୍ୟୁ
ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ୭୦ରୁ ଅଧିକ
ରାଉରକେଲା ସରକାରୀ ହସ୍ପିଟାଲରେ ଗତକାଲି ଦିନ ଗୋଟାଏରୁ ଆଜି ସକାଳ ୮ଟା ମଧ୍ୟରେ ହଠାତ ୧୨ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଆତଙ୍କ ଖେଳାଇ ଦେଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଅନ୍ୟମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ଏପଟେ ସୁନ୍ଦରଗଡ଼ ଜିଲ୍ଲାପାଳ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି । ଡାକ୍ତରଖାନାରେ ପହଁଚି ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ ।

ସୁନ୍ଦରଗଡ଼ରେ ଟଳି ପଡ଼ିଲେ ଜରି ଗୋଟାଳି
ଗରମ ଯୋଗୁଁ ଚେତା ହରାଇଲେ ୨ ମହିଳା ଡାକ୍ତର
ସୁନ୍ଦରଗଡ଼ ଟାଉନ ଥାନା ନିକଟରେ ଜରି ଗୋଟାଉଥିବା ଜଣେ ମହିଳା ଆଜି ସକାଳେ ଟଳି ପଡିଛନ୍ତି । ତାଙ୍କ ଶବ ବ୍ୟବଚ୍ଛେଦ ପାଇର୍ ପଠାଯାଇଛି । ସେହିପରି ପ୍ରବଳ ଗରମ ଯୋଗୁଁ ମେଡିକାଲ କଲେଜ ଓ ହସପିଟାଲର ଫିଜିଓ ଥେରାପି ସେଂଟରରେ ୨ ଜଣ ମହିଳା ଡାକ୍ତର ଅଚେତ ହୋଇ ପଡିଥିବା ସୂଚନା ମିଳିଛି ।

ଝାରସୁଗୁଡ଼ାରେ ୮ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ
ମୃତକଙ୍କ ମଧ୍ୟରେ ୬ ଜଣ ଡ୍ରାଇଭର!
ଏପଟେ ଝାରସୁଗୁଡ଼ାରେ ପାରଦ ଉପରମୁହାଁ ହୋଇଥିବା ବେଳେ ସ୍ଥିତି ଗମ୍ଭୀର ହୋଇଛି । ଜିଲ୍ଲାରେ ହିଟୱେଭକୁ ଦୃଷ୍ଟିରେ ରଖି ବ୍ରଜରାଜନଗରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଝାରସୁଗୁଡ଼ା ଉପଜିଲ୍ଲାପାନଳଙ୍କ ସମେତ ଝାରସୁଗୁଡ଼ା ବ୍ରଜରାଜନଗରର ଏସଡିପିଓ, ଝାରସୁଗୁଡ଼ା ଆରଟିଓ ଓ ଟ୍ରକ୍ ମାଲିକ ସଂଘ ଉପସ୍ଥିତ ଥିଲେ । ବୈଠକରେ ହିଟ୍ୱେଭ୍ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଦିନ ୧୧ଟାରୁ ୪ ପର୍ଯ୍ୟନ୍ତ କୌଣସି ଗାଡ଼ି କଳକାରଖାନାରୁ ନବାହାରିକୁ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଉପଜିଲ୍ଲାପାଳ ।

ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ଜାରି ରହିଥିବା ବେଳେ ଆସନ୍ତା ୩ ଦିନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ପିକ୍ ଆୱାର ଅର୍ଥାତ ଦିନ ୧୧ଟାରୁ ୩ଟା ମଧ୍ୟରେ ଖରାରେ କାମ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏପଟେ ପଶ୍ଚିମ ଓଡ଼ିଶାରେ ହୋଇଥିବା ଅସ୍ୱାଭାବିକ ମୃତ୍ୟୁର କାରଣ ଜାଣିବା ପାଇଁ ଘଟଣାସ୍ଥଳକୁ ଏକ କମିଟି ପଠାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଥିବା ତାତି ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳିଗୁଳି ହେଉଥିବାରୁ ସତର୍କ କରାଇଛନ୍ତି ସରକାର । ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।