କନକ ବ୍ୟୁରୋ : ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ପଞ୍ଜାବରେ ଭୋଟଗ୍ରହଣ କରାଯିବ । ଏହାପୂର୍ବରୁ ନିର୍ବାଚନ ହେବାକୁ ଥିବା ଆସନ ଗୁଡିକରେ ଜୋରଦାର ପ୍ରଚାର ଚାଲିଛି । ଏସବୁ ଭିତରେ ବିଜେପି ପ୍ରାର୍ଥୀ ତଥା ସିନେ ଅଭିନେତା ସନ୍ନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋମବାର ସକାଳେ ଘାରିବାଲ ଠାରେ ସନ୍ନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି କାର ଦୁର୍ଘଟଣାରେ ସନ୍ନି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ସନ୍ନି ନିଜ ରେଞ୍ଜ ରୋଭର କାରରେ ପ୍ରଚାର କରିବାକୁ ଯାଉଥିବା ବେଳେ ମଝି ରାସ୍ତାରେ କାରର ଚକା ଫାଟିଯାଇଥିଲା । ଫଳରେ କାରଟି ସିଧା ସଳଖ ଡିଭାଇଡରରେ ପିଟି ହୋଇଥିଲା । ତେବେ ସନ୍ନିଙ୍କ ପଛରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ରେଞ୍ଜ ରୋଭରକୁ ଧକ୍କା ଦେବା ପରେ କାରର ଆଗ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ ସନ୍ନିଙ୍କୁ ସେଭଳି ଗୁରୁତର ଆଘାତ ଲାଗିନାହିଁ ।
ଲୋକସଭା ନିର୍ବାଚନ ମଝିରେ ହିଁ ବିଜେପିରେ ସାମିଲ ହେବା ସହ ଗୁରୁଦାସପୁରରୁ ପ୍ରାର୍ଥୀ ହୋଇଥିଲେ ସନ୍ନି ଦେଓଲ । ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ସନ୍ନି ଏବେ ଜୋରଦାର ପ୍ରଚାର ଚଳାଇଛନ୍ତି । ରୋଡ ସୋ’ ସହ ନିର୍ବାଚନ ସଭା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ସନ୍ନି । ସନ୍ନି ଦେଓଲଙ୍କର ଟିକିଏ ଝଲକ ପାଇବା ପାଇଁ ରାସ୍ତା ଉପରେ ହଜାର ହଜାର ଲୋକ ଭିଡ ଜମାଉଛନ୍ତି । ଏପରିକି କିଛି ସମର୍ଥକ ସନ୍ନିଙ୍କୁ ଟ୍ୟୁବୱେଲ ଗିଫ୍ଟ ଦେଉଥିବାର ଦେଖିବାକୁ ମିଳିଛି । ସନ୍ନିଙ୍କ ପାଇଁ ସାନ ଭାଇ ବବି ଦେଓଲ ଓ ବାପା ଧର୍ମେନ୍ଦ୍ର ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।