କନକ ବ୍ୟୁରୋ : ସନି ଦେଓଲଙ୍କ ଅଭିନୀତ ଗଦର-୨ ସିନେମା ଏବେ ଭାରତ ବ୍ୟତୀତ ବିଦେଶରେ ମଧ୍ୟ ବେଶ୍ କମାଲ କରୁଛି । ଏହି ସିନେମା ହେଉଛି ୨୦୦୧ ମସିହାରେ ସନି ଦେଓଲଙ୍କ ସୁପରହିଟ୍ ସିନେମା ଗଦରର ଦ୍ୱିତୀୟ ଭାଗ । ଚଳିତ ବର୍ଷ ବଲିଉଡରେ ରିଲିଜ ହୋଇଥିବା ସିନେମା ମଧ୍ୟରୁ ଏହା ଦ୍ୱିତୀୟ ସିନେମା ଜିଏ କି ୪୦୦ କୋଟି ଟଙ୍କା କଲେକସନ କରିବାରେ ସଫଳ ହୋଇଛି । ସିନେମାର କାହାଣୀ ସହ ସିନେମାର ଡାଇଲଗ ଓ ଗୀତ ସହ ସନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପ୍ରଶଂସା କରୁଛନ୍ତି । ଏବେ ଖବର ଆସିଛି କି ସନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୀତ ଏହି ସିନେମା ନୂଆ ସଂସଦଗୃହରେ ସ୍ୱତନ୍ତ୍ର ପ୍ରଦର୍ଶିତ ହେବ ।

ସେପଟେ ସନି ଦେଓଲଙ୍କ ଦୀର୍ଘ ଅଭିନେତା ଜୀବନ ମଧ୍ୟରେ ଗଦର-୨ ଶ୍ରେଷ୍ଠ ଚଳଚିତ୍ର ବୋଲି ପ୍ରମାଣ ହୋଇଛି । ସିନେମାର କଲେକସନ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ଏସବୁ ଭିତରେ ନୂଆ ସଂସଦ ଗୃହରେ ଏହି ସିନେମା ୩ ଦିନ ସ୍ୱତନ୍ତ୍ର ପ୍ରଦର୍ଶିତ ହେବ । ଯାହାକୁ ୫୪୩ ଜଣ ସାଂସଦ ଦେଖିବେ ।

ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମା ଅଗଷ୍ଟ ୨୫ ତାରିଖ ତଥା ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ସଂସଦର ନୂଆ ଗୃହରେ ପ୍ରଦର୍ଶିତ ହେବ । ଏନେଇ ସିନେମାର ନିର୍ମାତା ଜି ଷ୍ଟୁଡିଓଜ ତରଫରୁ ସୂଚନା ଦିଆଯାଇଛି । ଗଦର ୨ର ନିର୍ଦ୍ଦେଶକ ଅନୀଲ ଶର୍ମା କହିଛନ୍ତି କି ସିନେମାଟିକୁ ସଂସଦରେ ପ୍ରଦର୍ଶନ କରିବାକୁ ସଂସଦ ତରଫରୁ ଏକ ମେଲ ପଠାଯାଇଥିଲା । ଯାହାକୁ ପାଇବା ପରେ ମୁଁ ବେଶ୍ ଗର୍ବ ଅନୁଭବ କରିଥିଲି ବୋଲି ସେ କହିଛନ୍ତି ।