କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୨୬ର ସୁଙ୍କି ଘାଟି ରାସ୍ତା ଶୋଚନୀୟ ହୋଇପଡିଛି । ଏହି ଜାତୀୟ ରାଜପଥଟି ଆନ୍ଧ୍ରପ୍ରଦେଶର ବିଜୟନଗରମରୁ ଛତିଶଗଡର ଜଗଦଲପୁର ପର୍ଯ୍ୟନ୍ତ ଲମ୍ବିଛି । ଜାତୀୟ ରାଜପଥର ପଟାଙ୍ଗି ବ୍ଲକର ସୁଙ୍କି ଘାଟି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଘାଟି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟବଡ଼ ଧରଣର ଦୁର୍ଘଟଣା ଘଟୁଛି ।
କୋରାପୁଟ ଜିଲ୍ଲା ସହ ଆନ୍ଧ୍ରକୁ ଯୋଗାଯୋଗ କରିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଘାଟି ରାସ୍ତା ଖରାପ ଯୋଗୁଁ କେବେ ଘାଟିରେ ଦୁର୍ଘଟଣା ତ ପୁଣି କେତେବେଳେ ଘାଟି ରାସ୍ତା ଜାମ । ଏଭଳି ସ୍ଥିତି ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଏହି ରାସ୍ତା ଦେଇ ଦୂରଗାମୀ ବସ୍ ଗୁଡିକ ଯାତାୟତ କରୁଥିବା ବେଳେ ଘାଟି ରାସ୍ତା ଜାମ ଯୋଗୁଁ ଯାତ୍ରୀମାନେ ଘଣ୍ଟାଘଣ୍ଟା ଧରି ପଡି ରହିବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାରି ଯାନ ଯାତାୟତ କରୁଥିବା ବେଳେ ଏହାକୁ ଆବଶ୍ୟକୀୟ ମରାମତି କରାଯାଉନଥିବା ଯୋଗୁଁ ରାସ୍ତା ଉପରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଯାଇଛି । କେତେକ ସ୍ଥାନରେ ଘାଟିରୁ ମାଟି ଅତଡ଼ା ଖସିଯାଇଥିବା ବି ଦେଖିବାକୁ ମିଳିଛି ।ଘାଟିର ରାସ୍ତା ପାର୍ଶ୍ବରେ ଦିଆଯାଇଥିବା ମାଟି ଧୋଇ ହୋଇ ଯିବା ସହ ସିମେଣ୍ଟର ଗାର୍ଡ ୱାଲ ଗୁଡିକ ବି ଭାଙ୍ଗି ଗଲାଣି। ଓଡିଶା ସୀମା ଭିତରେ ଥିବା ରାସ୍ତାର ଅବସ୍ଥା ଠାରୁ ଆନ୍ଧ୍ର ସୀମାରେ ରହିଥିବା ରାସ୍ତା ଅଧିକ ଦୟନୀୟ ହୋଇଯାଇଛି । ଉଭୟ ରାଜ୍ୟର ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ମରାମତି କରିବା ସହ ସୃଷ୍ଟି ହୋଇଥିବା ଗାତ ଗୁଡିକର ମରାମତି କରିବାକୁ ଦାବି ହୋଇଛି ।
Follow Us