ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ମେଦିନି ପୁରରେ ବିଶାଳ ରାଲି ଓ ଜନସଭା । ସାମିଲ ହେଲେ ଟିଏମସି ସାଂସଦ ସୁନିଲ ମଣ୍ଡଳ ଓ ଦଳ ଛାଡ଼ିଥିବା ଶୁଭେନ୍ଦୁ ଅଧିକାରୀ

313

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ନଡ୍ଡାଙ୍କ ଉପରେ ଆକ୍ରମଣ ହେବାର କିଛି ଦିନ ମଧ୍ୟରେ ଦିଦିଙ୍କ ଗଡରେ ପଶିଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା । ସେ ଆଜି ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି ।

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି । ଏହା ପରେ ମହାମାୟା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ବଡ଼ କଥା ହେଉଛି ଟିଏମସିର ଅନ୍ୟତମ ଶିର୍ଷନେତା ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନିଲ ମଣ୍ଡଳ ଆଜି ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଗତ ୨୭ ତାରିଖରେ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରୁ ଇସ୍ତଫା ଦେବାପରେ ଡ଼ିସେମ୍ବର ୧୬ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ । ଏହାରି ଭିତରେ ଏକାଧିକ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢୁଛି । ଗତକାଲି ଦୁଇଜଣ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି ।

ଅନ୍ୟପଟେ ବିଜେପି ପରେ ଏବେ କଂଗ୍ରେସ , ସିପିଆଇ ଓ ସିପିଆଇ (ଏମ) ର ଅନେକ ବରିଷ୍ଠ ନେତା ଓ ବିଧାୟକ ମାନେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଆଜି ଯେଭଳି ଭାବେ ମମତାଙ୍କ ହାତ ଛାଡି ଶୁଭେନ୍ଦୁ ଓ ସୁନିଲ ବିଜେପିରେ ଯୋଗଦେଲେ ତାହା ମମତାଙ୍କ ପାଇଁ ଭାରିପଡିବ । କାରଣ ମେଦିନାପୁର ଅଞ୍ଚଳରେ ଶୁଭେନ୍ଦୁ ଜଣେ ବେସ୍ ଲୋକପ୍ରିୟ ନେତା ହୋଇଥିବା ବେଳେ ତାଙ୍କ ନିୟନ୍ତ୍ରଣରେ ୫୦ ଜଣ ବିଧାୟକ ରହିଛନ୍ତି ।