କନକ ବ୍ୟୁରୋ: ପଢା ଖର୍ଚ୍ଚ ଉଠାଇବାକୁ ସ୍ନାକ୍ସ ଷ୍ଟଲ । ରେଭେନ୍ସା ଆଗରୁ ଆତ୍ମନିର୍ଭରଶୀଳର ବାର୍ତ୍ତା । ହାତରେ ଭଳି କି ଭଲି ସ୍ନାକ୍ସ ଆଇଟମ ଧରି, ରେଭେନ୍ସା ଆଗରେ ଛିଡା ହୋଇ ଗ୍ରାହକଙ୍କୁ ଡାକୁଥିବା ଏ ଦିବ୍ୟାଙ୍ଗ ଯୁବକ ଜଣଙ୍କ ହେଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର । ନାଁ- ସୁନୀଲ ସାହୁ । ଘର- ଅନୁଗୁଳ । ପିଲାବେଳୁ ଆଖିର ଦୃଷ୍ଟିଶକ୍ତି ହରାଇଛନ୍ତି ହେଲେ ମନରୁ ହରାଇ ନାହାନ୍ତି ପାଠ ପଢିବାର ଜିଦ୍ । ଆଉ ସେଇଥିପାଇଁ ତ କାହା ଉପରେ ବୋଝ ନହୋଇ ନିଜ ପଢା ଖର୍ଚ୍ଚ ନିଜେ ଉଠାଇବାକୁ ଆପଣାଇ ନେଇଛନ୍ତି ଏହି ସ୍ନାକ୍ସ ଷ୍ଟଲର ବାଟ ।
ସନ୍ଧ୍ୟା ହେବା କ୍ଷଣି ରେଭେନ୍ସା ଆଗରେ ଖୋଲିଯାଏ ସୁନିଲଙ୍କ ସ୍ନାକ୍ସ ଷ୍ଟଲ । ଯେଉଁ ବିଶ୍ୱବିଦ୍ୟାଳୟରେ ସେ ନିଜେ ପଢନ୍ତି ସଞ୍ଜ ଆସିଲେ ସେହି ବିଶ୍ୱବିଦ୍ୟାଳୟ ସାମ୍ନାରେ ନିଜେ ପାଲଟି ଯାଆନ୍ତି ବିକ୍ରେତା ଆଉ ଗ୍ରାହକ ସାଜନ୍ତି ତାଙ୍କ ସାଙ୍ଗମାନେ । ଚଟାପଟ ମୁଡକି, ସେଓ, ଗାଣ୍ଠିଆ, ମିକ୍ସଚର ଆଉ ଆଳୁ ଚିପ୍ସ ଭଳି ଭିନ୍ନ ଭିନ୍ନ ସ୍ନାକ୍ସ ସାମଗ୍ରୀ ଧରି ବିକ୍ରି କରନ୍ତି ସୁନୀଲ ।
ତେବେ ଖାଲି ଛାତ୍ରଛାତ୍ରୀ ନୁହଁନ୍ତି ବାଟରେ ଯାଉଥିବା ଲୋକ ବି ସୁନିଲଙ୍କ ପାଖରୁ ବିଭିନ୍ନ ସାମଗ୍ରୀ କିଣନ୍ତି । ଆଉ ପାଠ ପଢିବା ପାଇଁ, ନିଜର ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଦୁନିଆ ଦେଖି ପାରୁନଥିବା ସୁନିଲଙ୍କ ଏଭଳି ଉଦ୍ୟମକୁ ବାଃ ବାଃ କରନ୍ତି । ସବୁଠାରୁ ବଡ କଥା ହେଉଛି ଦିବ୍ୟାଙ୍ଗ ସୁନିଲଙ୍କ ଏହି ନିଆରା ଉଦ୍ୟମ ପଛରେ ରହିଛି ତାଙ୍କ ପିଲା ଦିନର ସାଙ୍ଗ ଅନିଲଙ୍କ ହାତ । ରେଭେନ୍ସା ଆଗରେ ଯେଉଁ ୩ ଘଣ୍ଟା ଏହି ଷ୍ଟଲ ଖୋଲେ ସେଥିରେ ପୂରା ସହଯୋଗ କରନ୍ତି ସୁନିଲଙ୍କ ସାଙ୍ଗ ଅନିଲ । ଏମିତିକି ପୂରା ଛାତ୍ର ଜୀବନରେ ସୁନିଲଙ୍କ ଛାଇ ପାଲଟି ଯାଇଛନ୍ତି ଅନିଲ ।
ତେବେ ଅନ୍ୟ ସାଙ୍ଗଙ୍କ ଭଳି ହଷ୍ଟେଲ ଜୀବନକୁ ଉପଭୋଗ ନକରି ନିଜ ପଢା ଖର୍ଚ୍ଚ ନିଜେ ଉଠାଇବାକୁ ସୁନିଲ ବାଛିଥିବା ଏଭଳି ବାଟକୁ ସମସ୍ତେ ସ୍ୱାଗତ କରିଥିବା ବେଳେ ଦିବ୍ୟାଙ୍କ ହୋଇ ବି ଅନ୍ୟକୁ ଦେଉଥିବା ଆତ୍ମନିର୍ଭରଶୀଳତାର ବାର୍ତ୍ତା ପାଇଁ ଏବେ ସମସ୍ତେ କହୁଛନ୍ତି ଜୀବନ ଗଢିବା ଶିଖିବ ତ ସୁନିଲଙ୍କ ଠାରୁ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/27-2.jpg)
/kanak/media/post_attachments/wp-content/uploads/2020/03/vlcsnap-2020-03-06-22h54m02s80.png)
/kanak/media/post_attachments/wp-content/uploads/2020/03/vlcsnap-2020-03-06-22h54m06s133.png)