୭ ଓଭର, ୭ ମେଡେନ୍, ୭ ୱିକେଟ: ଆଇପିଏଲ ପୂର୍ବରୁ ଜଲୱା ଦେଖାଇଲେ ନାରିନ୍

5,822

କନକ ବ୍ୟୁରୋ: ତାଙ୍କ ବୋଲିଂ ଷ୍ଟାଇଲ ଆଉ ସ୍ପିନ ପରିଚିତ କରାଇଛି । ଆଇପିଏଲ ଇତିହାସର ସଫଳ ବୋଲରମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନୀଲ ନାରିନ । ଆଉ ଏଥର ଆଇପିଏଲରେ ତାଙ୍କ ଉପରେ ନଜର ରହିବ । କାରଣ ଆଇପିଏଲ ଆରମ୍ଭ ହେବାର କିଛିଦିନ ପୂର୍ବରୁ ସେ ତାଙ୍କ ଜଲୱା ଦେଖାଇଛନ୍ତି । ସେ ଏକ ଟୁର୍ଣ୍ଣାମେଣ୍ଟରେ ୭ ଓଭର ବୋଲିଂ କରି ସବୁ ଯାକ ମେଡେନ ନେଇଥିଲେ । ଆଉ ଏଥିରେ ସେ ୭ ୱିକେଟ ମଧ୍ୟ ନେଇଥିଲେ । ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଏକ ଲୋକାଲ ଟୁର୍ଣ୍ଣାମେଣ୍ଟରେ ଏହି କାରନାମା କରିଛନ୍ତି ସୁନୀଲ ନାରିନ ।

କ୍ୱିନ୍ସ ପାର୍କ କ୍ରିକେଟ କ୍ଲବର ତରଫରୁ ଖେଳି ସୁନିଲ ନାରିନ କ୍ଲାର୍କ ରୋଡ ୟୁନାଇଟେଡ ବିପକ୍ଷରେ ନିଜ ଆକ୍ରାଣାତ୍ମକ ରୂପ ଦେଖାଇଛନ୍ତି । ତାଙ୍କର ଏହି ଦୁର୍ଦ୍ଦଶ ବୋଲିଂ ଯୋଗୁଁ ବିପକ୍ଷ ଦଳ ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା । ଗୋଟିଏ ବି ରନ ନଦେଇ ସୁନୀଲ ନାରିନ ୭ ୱିକେଟ ନେଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାରିନଙ୍କ ବ୍ୟତୀତ ସନ୍ ହେକଲେଟ୍ ୧୮ ରନ ଦେଇ ୨ ୱିକେଟ ନେଇଥିଲେ । କ୍ଲାର୍କ ରୋଡ ତରଫରୁ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନଙ୍କ ସ୍କୋର ୨୧ ରନ ଥିଲା । ଏହି ମ୍ୟାଚରେ କ୍ୱିନ୍ସ ପାର୍କ ୩ ୱିକେଟ ହରାଇ ୨୬୮ ରନ କରିଥିଲା ।

୩୪ ବର୍ଷିୟ ସୁନୀଲ ନାରିନଙ୍କୁ ଆଇପିଏଲର ମିଷ୍ଟ୍ରି ବୋଲର ବୋଲି କୁହାଯାଏ । ସେ ଏବେ ଯାଏଁ ନିଜ ଆଇପିଏଲ କ୍ୟାରିୟରରେ ୧୪୮ ମ୍ୟାଚ ଖେଳିଛନ୍ତି । ଆଉ ଏଥିରେ ସେ ୧୫୨ ୱିକେଟ ନେବାରେ ସଫଳ ହୋଇଛନ୍ତି । ନାରିନ ୭ ଥର ୪ ୱିକେଟ ଓ ଥରେ ୫ ୱିକେଟ ନେଇ ନିଜକୁ ସଫଳ ସାବ୍ୟସ୍ତ କରିଛନ୍ତି । ସେ କୋଲକାତା ନାଇଟ ରାଇଡର ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ । ଆଉ ଏବେ ଯାଏଁ ସେ ଗୋଟିଏ ଦଳ ପାଇଁ ଖେଳିଆସୁଛନ୍ତି ।

ଯଦି ଇଣ୍ଟରନ୍ୟାସନାଲ କ୍ୟାରିୟର କଥା ଦେଖିବା ତେବେ ନାରିନ ୱେଷ୍ଟଇଣ୍ଡିଜ ପାଇଁ ୬ ଟେଷ୍ଟ ମ୍ୟାଚ ଖେଳି ୨୧ ୱିକେଟ ନେଇଛନ୍ତି । ସେହିପରି ୬୫ ଦିନିକିଆରେ ୯୨ ୱିକେଟ ଓ ଟି-୨୦ରେ ୫୨ ୱିକେଟ ନେଇଛନ୍ତି । ଆଇପିଏଲ ୨୦୨୩ରେ ସେ ସେହି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବାର ନଜର ଆସିବେ । ଆଉ ସେଥିପାଇଁ ବର୍ତ୍ତମାନର ତାଙ୍କର ଏହି ବିରଳ ରେକର୍ଡକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଆଉ ଫ୍ୟାନମାନଙ୍କ ଆଶା ରହିଛି ନାରିନ କୋଲକାତା ପାଇଁ ଏଭଳି ପ୍ରଦର୍ଶନ କରନ୍ତୁ ବୋଲି ।