କନକ ବ୍ୟୁରୋ : ରାଜ୍ୟର ନୂଆ ପୁଲିସ ଡିଜି ହେବେ ସୁନୀଲ ବଂଶଲ । ଡିଜିପି ଅଭୟଙ୍କ ସ୍ଥାନରେ ସୁନୀଲ ବଂଶଲ ଜାନୁୟାରୀ ପହିଲାରୁ ଦାୟିତ୍ୱ ଗ୍ରହଣ କରିବେ । ୧୯୮୭ ବ୍ୟାଚର ଏହି ଆଇପିଏସ ଅଧିକାରୀ ଏବେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ମୟୁରଭଂଜ ଏସପି ଭାବେ ପୁଲିସ କ୍ୟାରିଅର ଆରମ୍ଭ କରିଥିବା ସୁନୀଲ ଦୀର୍ଘ ୨୭ ବର୍ଷ ପରେ ଓଡିଶାକୁ ଆସୁଛନ୍ତି । ଏହାରି ଭିତରେ ଓଡିଶା ଅନେକ ବଦଳିଯାଇଛି । ତେଣୁ ତାଙ୍କ ଆଗରେ ପଂଚାୟତ ନିର୍ବାଚନ ସୁପରିଚାଳନା, ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଡ୍ରଗ୍ସ କାରବାର ଉପରେ ରୋକ ଭଳି ଆହ୍ୱାନ ରହିଛି ।
ନୂଆ ପୁଲିସ୍ ଡିଜି ହେବେ ସୁନୀଲ ବଂଶଲ । ନିଯୁକ୍ତିକୁ ମଞ୍ଜୁର ଦେଲେ ମୁଖ୍ୟମନ୍ତ୍ରୀ । ଆଇପିଏସ ଅଫିସର ସୁନୀଲ ବଂଶଲ । ନୂଆବର୍ଷରୁ ସମ୍ଭାଳିବେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ । ଅଭୟଙ୍କ ପରେ କିଏ ରାଜ୍ୟର ପୁଲିସ ଡିଜି ହେବ, ଏହି ଚର୍ଚ୍ଚା ଭିତରେ କେନ୍ଦ୍ର ପଠାଇଥିବା ତିନି ଜଣଙ୍କ ମଧ୍ୟରୁ ଶେଷରେ ସୁନୀଲ ବଂଶଲଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ନିଯୁକ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ସୁନୀଲ ବଂଶଲ । କହିଛନ୍ତି, ସୁରକ୍ଷା ଓ ସେବା ତାଙ୍କ ପାଇଁ ପ୍ରାଥମିକତା ହେବ ।
ଓଡିଶାରେ ଆରମ୍ଭ କରିଥିଲେ କାର୍ଯ୍ୟ, ଓଡିଶାରୁ ନେବେ ଅବସର । ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ ତାଙ୍କର ଚାକିରୀ ଜୀବନ ଓଡିଶାରୁ ହିଁ ଆରମ୍ଭ କରିଥିଲେ । ମୟୂରଭଞ୍ଜ ଭଳି ବଡ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କିନ୍ତୁ ତାପରେ ସେ କେନ୍ଦ୍ରକୁ ଡେପୁଟେସନରେ ଯାଇ ଗୁଇନ୍ଦା ବିଭାଗ ବା ଆଇବିର ଗୁରୁତ୍ୱପୂର୍ଣ୍ଣ ପଦରେ ରହି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ସୁନୀଲ ବଂଶଲ ବର୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ୨୦୨୦ ଅକ୍ଟୋବର ୧୯ରୁ ସେ ଏହି ଦାୟିତ୍ୱରେ ଅଛନ୍ତି ।
୩୦ ଜୁନ୍ ୨୦୨୨ରେ ସୁନୀଲ ବଂଶଲଙ୍କ ଚାକିରୀ କାର୍ଯ୍ୟକାଳ ଶେଷ ହେବ । କିନ୍ତୁ ଓଡିଶା ସରକାର ତାଙ୍କର ଚାକିରୀ ଅବଧିକୁ ଆଉ ଦେଢ଼ ବର୍ଷ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ନୂଆ ନିୟମ ଅନୁସାରେ ଜଣେ ପୋଲିସ ଡିଜି ୨ ବର୍ଷ ଦାୟିତ୍ୱରେ ରହିବା ବାଧ୍ୟତାମୂଳକ ।
ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଓ ଦୀର୍ଘ ୨୭ ବର୍ଷ ପରେ ଓଡିଶାକୁ ଫେରୁଥିବାରୁ ନୂଆ ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମୁଖରେ ଅନେକ ଗୁଡିଏ ଚ୍ୟାଲେଞ୍ଜ ରହିପାରେ ।
କଣ ହୋଇପାରେ ଚ୍ୟାଲେଞ୍ଜ ?
- ଆଗାମୀ ପଂଚାୟତ ନିର୍ବାଚନର ସୁପରିଚାଳନା ନୂଆ ଡିଜିପିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ
- ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ସୁନୀଲ ବଂଶଲଙ୍କ ପାଇଁ ବଡ ଆହ୍ୱାନ ହେବ
- ମାଓପ୍ରବଣ ଜିଲ୍ଲାରେ ମାଓ ଦମନ କରିବା ବି ସୁନୀଲ ବଂଶଲଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହେବ
ଦୀର୍ଘ ୨୭ ବର୍ଷ ପରେ ସୁନୀଲ ଓଡିଶାକୁ ଫେରୁଥିବାରୁ ରାଜ୍ୟରେ ସବୁ କିଛି ବଦଳିଯାଇଛି । ତେଣୁ ସେ ଏହି ଚ୍ୟାଲେଞ୍ଜକୁ କିଭିଳି ସାମ୍ନା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/vlcsnap-2021-12-15-19h01m22s491.png)