‘ଋଷଭ ପନ୍ଥ ହେବେ ଟିମ୍ ଇଣ୍ଡିଆର ଅଧିନାୟକ’ । ଭବିଷ୍ୟବାଣୀ କଲେ ସୁନୀଲ ଗାଭାସ୍କର ।

498

କନକ ବ୍ୟୁରୋ : ମହାନ୍ କ୍ରିକେଟର ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସୁନୀଲ ଗାଭାସ୍କର ଭବିଷ୍ୟବାଣୀ କରି କହିଛନ୍ତି ଯେ, ଋଷଭ ପନ୍ଥ ଭବିଷ୍ୟତରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ । ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଆଇପିଏଲ-୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ ପନ୍ଥ । ଆଉ ତାଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ୮ଟି ମ୍ୟାଚରୁ ୬ଟି ମ୍ୟାଚରେ ବିଜୟୀ ହୋଇଥିଲା । ଆଉ ଆଇପିଏଲ ସ୍ଥଗିତ ହେବା ପର୍ଯ୍ୟନ୍ତ ପଏଣ୍ଟ ଟେବୁଲର ଟପରେ ରହିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ତେବେ ଋଷଭ ପନ୍ଥଙ୍କ ନେତୃତ୍ୱରେ ପ୍ରଭାବିତ ହୋଇଛନ୍ତି ସୁନୀଲ ଗାଭାସ୍କର । ସେ କହିଛନ୍ତି ପନ୍ଥଙ୍କ ପାଖରେ ଶିଖିବାର ଇଚ୍ଛା ରହିଛି । ତେବେ ଯଦି ଧୈର୍ଯ୍ୟର ସହ ଆଗକୁ ନେତୃତ୍ୱ ନେବେ, ତେବେ ସେ ନିଶ୍ଚୟ ଭାବେ ଅଧିକ ସଫଳ ହେବେ । ତେବେ ଋଷଭ ପନ୍ଥ ଭାରତର ଆଗାମୀ ଅଧିନାୟକ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ ।

ତେବେ କେବଳ ନେତୃତ୍ୱ ନୁହେଁ, ବ୍ୟାଟିଂରେ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି ଏହି ଯୁବ ତାରକା । ଆଉ ଯାହାର ଝଲକ ଆଇପିଏଲ-୧୪ରେ ଦେଖିବାକୁ ମିଳିଥିଲା । ମୋଟ୍ ୮ଟି ମ୍ୟାଚରୁ ୨୧୩ ରନ୍ ସଂଗ୍ରହ କରିଥିଲେ ପନ୍ଥ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଗୃରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ଋଷଭ । ଟିମ୍ ଇଣ୍ଡିଆର ଐତିହାସିକ ସିରିଜ୍ ବିଜୟରେ ଋଷଭ ପନ୍ଥଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ।