କନକ ବ୍ୟୁରୋ : ଘରୋଇ କ୍ରିକେଟରେ ରାଜ କରୁଛନ୍ତି ସର୍ଫରାଜ । ଗତ କିଛି ସିଜିନରେ ସର୍ଫରାଜ ଦମଦାର ବ୍ୟାଟିଂ କରିବା ସତ୍ତେ୍ୱ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି । ଜବରଦସ୍ତ ଫର୍ମରେ ଥିବା ସତ୍ତେ୍ୱ ମଧ୍ୟ ବିସିସିଆଇ ସର୍ଫରାଜଙ୍କୁ ଅଣଦେଖା କରି ଆସୁଛି । ଲାଲ୍ ବଲରେ ଶତକ ପରେ ଶତକ ହାସଲ କରୁଥିଲେ ମଧ୍ୟ ସର୍ଫରାଜଙ୍କୁ ଟିମ୍ ଇଣ୍ଡିଆରୁ ଡାକରା ଆସୁନି । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଡକରା ଆସିଥିଲେ ମଧ୍ୟ ସର୍ଫରାଜଙ୍କୁ ସୁଯୋଗ ମିଳିନାହିଁ । ଆଉ ସର୍ଫରାଜଙ୍କୁ ଟିମରେ ସ୍ଥାନ ନଦେବାକୁ ନେଇ ଏବେ ବିସିସିଆଇ ଉପରେ ପ୍ରଶ୍ନ ଉଠିଛି । ତେବେ ସର୍ଫରାଜଙ୍କୁ ଟିମରେ ସ୍ଥାନ ନମିଳିବା ପଛର ବଡ କାରଣ ଫିଟନେସ ବୋଲି କୁହାଯାଉଛି । ଯାହାକୁ ନେଇ ଚୟନକର୍ତ୍ତା କମିଟି ଉପରେ ବର୍ଷିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ।
ଗାଭାସ୍କର କହିଛନ୍ତି, କ୍ରିକେଟ ପାଇଁ ଖେଳାଳି ଫିଟ୍ କି ନୁହେଁ ତାହା ଦେଖି ଚୟନ କରିବା ଉଚିତ୍ । କୌଣସି ଖେଳାଳିଙ୍କ ଶରୀର ଓ ଉଚ୍ଚତାକୁ ମାପକାଠି କରି ଟିମ୍ ଚୟନ କରିବା ଆଦୌ ଠିକ୍ ନୁହେଁ । ଯଦି ବିସିସିଆଇକୁ ଭାରତୀୟ ଦଳରେ ପତଳା ଓ ଫିଟନେସ ଭଲ ଥିବା ଖେଳାଳି ଦରକାର ତେବେ ଫ୍ୟାସନ ସୋକୁ ବିସିସିଆଇକୁ ଯିବାର ଆବଶ୍ୟକତା ରହିଛି ।

Advertisment

କେବଳ ଏତିକି ନୁହେଁ ଗାଭାସ୍କର କହିଛନ୍ତ ଯଦି ଖେଳାଳି ଫିଟ୍ ନଥାନ୍ତି ତେବେ ଶତକ ପୂରା କରିପାରିବେ ନାହିଁ । କ୍ରିକେଟରେ ଫିଟନେସର ବେଶ ଆବଶ୍ୟକୀୟ । ଯଦି ଫିଟନେସ ପରୀକ୍ଷା ପାଇଁ ୟୋ ୟୋ ଟେଷ୍ଟ କରାଉଛନ୍ତି ତେବେ ଏଥିରେ କିଛି ଅସୁବିଧା ନାହିଁ । କିନ୍ତୁ ୟୋ ୟୋ ଟେଷ୍ଟ ଫିଟନେସର ଏକମାତ୍ର ମାପଦଣ୍ଡ ହେବା ଉଚିତ୍ ନୁହେଁ । ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ, ଖେଳାଳି କ୍ରିକେଟ ପାଇଁ ଫିଟ୍ କି ନୁହେଁ । ସର୍ଫରାଜ ଶତକ ମାରିବା ପରେ ମଧ୍ୟ ପଡିଆକୁ ଆସୁଛନ୍ତି ଓ ଫିଲ୍ଡିଂ କରୁଛନ୍ତି । ଆଉ ଏଭଳି କରି ସେ ଫିଟ୍ ଥିବା ଦର୍ଶାଇଛନ୍ତି । ଯଦି ପତାଳା ଯୁବକ ଦରକାର ତେବେ ବିସିସିଆଇ ଫ୍ୟାସନ ସୋ’କୁ ଯାଇ କିଛି ମଡେଲଙ୍କୁ ଆଣି ବ୍ୟାଟ ଓ ବଲ ଧରାଇଦେଉ । କାହାର ଶରୀର ଓ ଉଚ୍ଚତାକୁ ଦେଖି ଖେଳାଳି ଚୟନ ନହେଉ ବରଂ ରନ୍ ଓ ୱିକେଟ ଆଧାରରେ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଉ ବିସିସିଆଇ ।