ପ୍ରଥମ ଦଳ ଭାବେ ଆଇପିଏଲ ପ୍ଲେ- ଅଫରେ ଚେନ୍ନାଇ ସୁପରକିଙ୍ଗ : ୬ ୱିକେଟରେ ହାଇଦ୍ରାବାଦକୁ କଲା ପରାସ୍ତ

121

କନକ ବ୍ୟୁରୋ : ପ୍ରଥମ ଦଳ ଭାବେ ଚଳିତ ଆଇପିଏଲର ପ୍ଲେ-ଅଫରେ ପ୍ରବେଶ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇ ପ୍ଲେ-ଅଫରେ ପହଂଚିଛି ଦଳ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୩୪ ରନ୍ କରିଥିଲା । ଜବାବରେ ଚେନ୍ନାଇର ଓପନିଂ ଯୋଡି ଋତୁରାଜ ଗାଏକୱାଡ ଓ ଫାପ୍ ଡୁ ପ୍ଲେସିସ୍ ୧୦ ଓଭରରେ ୭୫ ରନ୍ କରି ବିଜୟ ଲକ୍ଷ୍ୟକୁ ସହଜ କରିଥିଲେ । ଅମ୍ବାତି ରାଇଡୁ ଓ ମହେନ୍ଦ୍ର ସିଂହ ଧୋନୀ ୨ଟି ବଲ ବାକି ଥାଇ ଦଳକୁ ବିଜୟ କରାଇଥିଲେ । ଛକ୍କା ମାରି ଧୋନି ଦଳକୁ ବିଜୟୀ କରାଇଥିଲେ ।

ଚେନ୍ନାଇ ନବମ ବିଜୟ ସହ ଏକାଦଶ ଥର ପାଇଁ ଟପ୍ ୪ ଦଳରେ ସାମିଲ ହୋଇଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ନବମ ପରାଜୟ ସହ ପ୍ଲେ ଅଫ୍ ଦୌଡରୁ ସଂପୂର୍ଣ୍ଣ ବାଦ୍ ପଡ଼ିଛି । ପୂର୍ବରୁ ହାଇଦ୍ରାବାଦର ହୋସ୍ ଉଡ଼ାଇଥିଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍‌ । ଟସ୍ ଜିତି ଧୋନି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ପରେ ହାଜେଲଉଡ୍ ପ୍ରଥମେ ଜାସନ୍ ରୟଙ୍କୁ କଟ୍ ବିହାଇଣ୍ଡ୍‌ କରାଇ ନେଇଥିଲେ । ଏହା ପରେ କେନ୍‌ ୱିଲିୟମ୍‌ସନ୍ ଏବଂ ପ୍ରିୟମ ଗର୍ଗଙ୍କୁ ଡ୍ବାନ୍ ବ୍ରାଭୋ ଆଉଟ୍ କରି ହାଇଦ୍ରାବାଦ ପାଳିକୁ ଅସ୍ଥିର କରି ପକାଇଥିଲେ । ହାଜ୍‌ଲେଉଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।