ଟିମ୍ ଇଣ୍ଡିଆର ‘ଇଣ୍ଡିଜ’ ଗସ୍ତ ପୂର୍ବରୁ ଗାଭାସ୍କରଙ୍କ ବଡ ବୟାନ୍ ! ଅଧିନାୟକ ଭାବେ କୋହଲିଙ୍କ ଚୟନକୁ ନେଇ ଉଠାଇଲେ ପ୍ରଶ୍ନ, ଚୟନକର୍ତ୍ତାଙ୍କୁ କଲେ ଟାର୍ଗେଟ୍ ।

351

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ ହୋଇସାରିଛି ଟିମ୍ ଇଣ୍ଡିଆ । ଆଜି ରାତିରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ବିରାଟ ବ୍ରିଗେଡ୍ । ଆଉ ଗସ୍ତ ପୂର୍ବରୁ ଦଳଚୟନକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସୁନୀଲ ଗାଭାସ୍କର କହିଛନ୍ତି, ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦଳଚୟନ ପୂର୍ବରୁ ବିରାଟ କୋହଲିଙ୍କୁ ଦଳର ମଙ୍ଗ ଧରାଇବା ନେଇ କୌଣସି ବୈଠକ ହୋଇନଥିଲା ।

ଗାଭାସ୍କର କହିଛନ୍ତି, ବିରାଟ କୋହଲିଙ୍କୁ ବିଶ୍ୱକପ ପର୍ଯ୍ୟନ୍ତ ହିଁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହା ପରେ ଯଦି ଚୟନକର୍ତ୍ତା ବିରାଟଙ୍କୁ ପୁଣି ଅଧିନାୟକ ଭାବେ ଦାୟିତ୍ୱ ଦେଇଛନ୍ତି, ତେବେ ଏଥିପାଇଁ ଏକ ବୈଠକ ହେବାର ଆବଶ୍ୟକତା ଥିଲା । ଟେଷ୍ଟ କ୍ରିକେଟରେ ପ୍ରଥମେ ୧୦ ହଜାର ରନ୍ ପୂରଣ କରିଥିବା ଗାଭାସ୍କର ଚୟନ କମିିଟିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।

ଏମଏସକେ ପ୍ରସାଦଙ୍କ ବ୍ୟତୀତ ଶରଣଦୀପ ସିଂହ, ଦେବାଙ୍ଗ ଗାନ୍ଧି, ଜତିନ୍ ପରାଜମ୍ପେ ଏବଂ ଗଗନ ଖୋଡା ଚୟନ କମିଟିରେ ସାମିଲ ଥିଲେ । ଆଇ ଏମାନଙ୍କୁ ମଧ୍ୟରୁ ଜତିନ୍ ଏବଂ ଗଗନ୍ କେବଳ ଦିନିକିଆ କ୍ରିକେଟ୍ ହିଁ ଖେଳିଛନ୍ତି । ଗାଭାସ୍କର କହିଛନ୍ତି, ଖୁବ ଶୀଘ୍ର ନୂଆ ଚୟନ କମିଟି ବଛାଯିବ । ଆଉ ଆଶା କରାଯାଉଛି, ଏଥିରେ ଏଭଳି କିଛି ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯିବ, ଯେଉଁମାନେ ମ୍ୟାନେଜମେଣ୍ଟ ଆଗରେ ଦୃଢ ଭାଗରେ ନିଜ ଦାବି ରଖିପାରିବେ ।