କନକ ବ୍ୟୁରୋ : ଗୁରୁବାର କୁଏତ ବିପକ୍ଷ ଶେଷ ମ୍ୟାଚ୍ ଖେଳି ନିଜର ୧୯ ବର୍ଷର କ୍ୟାରିୟରର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି, ବିଦାୟୀ ମ୍ୟାଚରେ ଖୁବ୍ ଭାବବିହ୍ୱଳ ହୋଇଥିଲେ ସୁନୀଲ । ପୂରା ଷ୍ଟାଡିୟମ ଛେତ୍ରୀ ଛେତ୍ରୀ ଧ୍ୱନୀରେ କମ୍ପି ଉଠିଥିଲା । ଅଧିନାୟକ ଭାବେ ନିଜର ମ୍ୟାଚ୍ ଜିତିବା ପାଇଁ ପୂରା ଜୋର ଲଗାଇ ଦେଇଥିଲେ । କିନ୍ତୁ କୁଏତ ମଧ୍ୟ ଭାରତକୁ କଡ଼ା ଟକ୍କର ଦେଇଥିଲା ଏବଂ ଶେଷରେ ମ୍ୟାଚ୍ ଗୋଲଶୂନ୍ୟ ରହିଥିଲା । ମ୍ୟାଚ ଶେଷ ହେବାପରେ ସାଥି ଖେଳାଳି ମାନେ ସୁନୀଲଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି । ୩୯ ବର୍ଷ ବୟସରେ ଅବସର ନେଇଥିବା ଛେତ୍ରୀ ଭାରତ ପକ୍ଷରୁ ୧୫୨ ମ୍ୟାଚ୍ ଖେଳି କରିଛନ୍ତି ୯୨ ଗୋଲ୍ । ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ମାରିବାରେ ବିଶ୍ୱର ଚତୁର୍ଥ ଖେଳାଳି ହେଉଛନ୍ତି ଛେତ୍ରୀ । ତାଙ୍କର ଅବସର ସହ ଭାରତୀୟ ଫୁଟବଲରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଶେଷ ହୋଇଛି ।

Advertisment

ସୁନୀଲ ଛେତ୍ରୀଙ୍କ ଅବସର ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ପ୍ରଂଶସାର ସୁଅ ଛୁଟିଛି । ଅର୍ଜୁନ କାପୁରଙ୍କ ଠାରୁ ଆରମ୍ଭ କରି ଅଭିଷେକ ବଚ୍ଚନ ଓ ଫରହାନ ଅଖତରଙ୍କ ଭଳି ବଲିଉଡ଼ ତାରକା ମାନେ ଏନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଅର୍ଜୁନ କାପୁର ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ସୁନୀଲଙ୍କ ଫଟୋ ସେୟାର କରିବା ସହ ସ୍ମୃତି. ଉତ୍ସାହ ଓ ଅପୂର୍ବ ଉତ୍ସର୍ଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ଅଭିଷେକ ବଚ୍ଚନ ଏହି କିମ୍ବଦନ୍ତୀ ଫୁଟବଲରଙ୍କୁ ଦେଶର ଗୌରବ କହିଥିବା ବେଳେ ଫରହାନ ଅଖତର ସୁନୀଲ ଛେତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।