ସୁନୀଲଙ୍କୁ ବାଧୁଛି ଟମାଟୋ ଦର । କହିଲେ, ହୋଟେଲ ଚଲାଉଛି, ସେଥିପାଇଁ ମୂଲଚାଲ କରିବାକୁ ପଡୁଛି । 

1,227

କନକ ବ୍ୟୁରୋ : ଆଗରୁ ପିଆଜ କନ୍ଦାଉଥିଲା, ଏବେ ଟମାଟୋ ଦର ଶୁଣି ଆଖିରେ ଲୁହ ଆସିଯାଉଛି । ଟମାଟୋର ଦର ଏବେ ପକେଟ ଫାଙ୍କା କରି ଦେଉଛି । ଗରିବଙ୍କ ଠାରୁ ଧନୀ ସମସ୍ତଙ୍କୁ ଟମାଟୋ ଦର ଭାରି ବାଧୁଛି । ଯେଉଁ ତାଲିକାରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ରହିଛନ୍ତି । ସୁନୀଲ କହିଛନ୍ତି, ଆମେ ତଟକା ପନିପରିବା ଖାଇଥାଉ । କିନ୍ତୁ ଏବେ ଯେଉଁଭଳି ଭାବେ ଟମାଟୋ ଦରରେ ବୃଦ୍ଧି ହୋଇଛି ତାହାର ପ୍ରଭାବ ଆମ ରୋଷେଇ ଘର ଉପରେ ମଧ୍ୟ ପଡିଛି । ଦରବୃଦ୍ଧି କାରଣରୁ ମୁଁ ମଧ୍ୟ କମ ଟମାଟୋ ଖାଉଛି । ଲୋକଙ୍କୁ ଲାଗୁଥିବ ଜଣେ ସୁପରଷ୍ଟାରଙ୍କ ଉପରେ ଟମାଟୋ ଦରର କଣ ବା ପ୍ରଭାବ ପକାଇବ । କିନ୍ତୁ ଏଭଳି ଭାବନାର ବାସ୍ତବତା କିଛି ନାହିଁ । ଆମ ଉପରେ ମଧ୍ୟ ଟମାଟୋ ଦର ବୃଦ୍ଧିର ପ୍ରଭାବ ପଡୁଛି ।

ସୁନୀଲ କହିଛନ୍ତି, ଆମେ ଏକ ନିର୍ଦ୍ଦିଷ୍ଟ ଆପରେ ପନିପରିବା ମଗାଇଥାଉ । କିନ୍ତୁ ଏବେ ସେହି ଆପରେ ପନିପରିବା ଦର ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଆପରେ ଅନ୍ୟ ଆପ ଓ ବଜାର ଦର ଠାରୁ କମ ମୂଲ୍ୟରେ ପନିପରିବା ମିଳେ । ଶସ୍ତାରେ ପନିପରିବା ମିଳେ ବୋଲି ଉକ୍ତ ଆପ୍ ମୁଁ ବ୍ୟବହାର କରେନି ବରଂ ଏହି ଆପରେ ପନିପରିବା ଉତ୍ପାଦନର ପ୍ରତିଟି ତଥ୍ୟ ଉଲ୍ଲେଖ ରହିଥାଏ । ସବୁଠୁ ବଡ କଥା, ଏହି ଆପରେ ପନିପରିବା କିଣିବା ଦ୍ୱାରା ଏହାର ଲାଭାଂଶ ସିଧାସଳଖ ଚାଷୀଙ୍କ ପାଖକୁ ଯାଇଥାଏ । ଏହି ଆପ୍ ଜରିଆରେ ଚାଷୀଙ୍କର ପନିପରିବା ସିଧା ଖାଉଟିଙ୍କ ପାଖରେ ପହଞ୍ଚିଥାଏ ।

ସୁନୀଲ ସେଟ୍ଟୀ ଏହା ମଧ୍ୟ କହିଛନ୍ତି, ମୁଁ ଜଣେ ଅଭିନେତା ସହ ହୋଟେଲ ମାଲିକ । ତେଣୁ ପ୍ରତ୍ୟେକ ସାମଗ୍ରୀର ମୂଲଚାଲ କରିବା ଜାଣିଛି । ଟମାଟୋ ଦର ଏତେ ବୃଦ୍ଧି ହେବା ଫଳରେ ତରକାରୀର ସ୍ୱାଦରେ ମଧ୍ୟ ଟିକିଏ ପରିବର୍ତ୍ତନ କରିବାକୁ ପଡୁଛି । ଯେହେତୁ ମୁଁ ନିଜ ଫାର୍ମ ହାଉସରେ ପନିପରିବା ଉତ୍ପାଦନ କରିଥାଏ ତେଣୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳୁଛି ।