କନକ ବ୍ୟୁରୋ : କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଆଉ ଏବେ ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଯୋଗାଣ ସମାନ ସ୍ଥିତି ଦେଇ ଗତି କରୁଛି । ଯୁଦ୍ଧ ପୂର୍ବରୁ ୟୁକ୍ରେନ୍, ସୂର୍ଯ୍ୟମୁଖୀ ତେଲର ସବୁଠାରୁ ବଡ଼ ରପ୍ତାନୀକାରୀ ରାଷ୍ଟ୍ର ଥିଲା । ହେଲେ ଏବେ ୟୁକ୍ରେନ ଧ୍ୱସ୍ତବିଧ୍ୱସ୍ତ ହେବା ପରେ ତେଲ ଯୋଗାଣ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଉ ପୁରୁଣା ଷ୍ଟକ ଗୁଡ଼ିକର ମୂଲ୍ୟ ମଧ୍ୟ ଅହେତୁକ ବୃଦ୍ଧି ପାଇଛି ।
ଦର ବୃଦ୍ଧି ଯୋଗୁଁ ତେଲ ଆମଦାନୀ କରୁଥିବା କମ୍ପାନୀମାନେ ପୂର୍ବଭଳି ଆଉ ତେଲ ଉଠାଉ ନାହାନ୍ତି । ଯାହା ଫଳରେ ବଜାରରେ ଏକପ୍ରକାର ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖା ଦେଇଛି । ଗ୍ରୀସ୍, ସ୍ପେନ୍, ତୁର୍କୀ ଓ ବେଲଜିୟମ ଭଳି ଦେଶଗୁଡ଼ିକରେ ଖାଇବା ତେଲ ଆମଦାନୀ କରୁଥିବା ସୁପର ମାର୍କେଟ୍ ଗୁଡ଼ିକ ତେଲ ଆମଦାନୀ କମାଇ ଦେଇଛନ୍ତି ।
ଇଣ୍ଡୋନେସିଆରୁ ସୂର୍ଯ୍ୟମୁଖୀ ତେଲର ରପ୍ତାନୀ ବାଧାପ୍ରାପ୍ତ ହେବାରୁ ପୂର୍ବ ଆଫ୍ରିକା ଦେଶ ଗୁଡ଼ିକରେ ଖାଦ୍ୟ ସଙ୍କଟ ଆହୁରି ବୃଦ୍ଧି ପାଇଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଛି । ବିଶେଷ କରି ୟୁକ୍ରେନର ସହର, ଘର, ଡାକ୍ତରଖାନା ଓ ସ୍କୁଲ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ଏହି ଯୁଦ୍ଧ ସେଠାରେ କୃଷିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଫସଲ୍ ଅମଳ ମଧ୍ୟ ଠପ୍ ପଡ଼ିଯାଇଛି ।
ୟୁକ୍ରେନ୍ ଓ ରୁଷ୍ ମିଳିତ ଭାବେ ୭୫ ପ୍ରତିଶତ ସନଫ୍ଲାୱାର୍ ବିହନ ଉତ୍ପାଦନ କରନ୍ତି । କିନ୍ତୁ ଯୁଦ୍ଧ ଯୋଗୁଁ ରୋପଣ, ଉତ୍ପାଦନ ଓ ବାଣିଜ୍ୟ କମିଥିବା ବେଳେ ଦ୍ରବ୍ୟର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ କହିଥିଲା । ଭାରତ ମଧ୍ୟ ୟୁକ୍ରେନରୁ ବହୁ ପରିମାଣରେ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ । କିନ୍ତୁ ଏବେ ଯୋଗାଣ ବାଧାପ୍ରାପ୍ତ ହେବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।