ନିମ୍ନମାନର ବିହନ ଦେଇ ଚାଷୀଙ୍କୁ ଠକିଦେଲା ଆନ୍ଧ୍ର ବେପାରୀ । ଠିକରେ ହେଉନି ସୂର୍ଯ୍ୟମୁଖୀ ଚାଷ, ଏପଟେ ସରକାର ଦେଉନାହାନ୍ତି ସହାୟତା, ଚିନ୍ତାରେ କୋରାପୁଟ ଚାଷୀ ।

79

କନକ ବ୍ୟୁରୋ : ଖାଇବା ତେଲ ଦର ବଢୁଥିବା ବେଳେ ନିଜ ଚାହିଦା ମେଂଟାଇବା ପାଇଁ ସୂର୍ଯ୍ୟମୁଖୀ ଚାଷ ଉପରେ ଭରସା କରିଥିଲେ କୋରାପୁଟର ଚାଷୀ । ମାତ୍ର ଆନ୍ଧ୍ର ବେପାରୀଙ୍କ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି ଏମାନେ । ନିମ୍ନମାନର ବିହନ ଯୋଗୁଁ ଚାଷ ଠିକରେ ହେଉନାହିଁ ଏବଂ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି କୋରାପୁଟର ଚାଷୀ ।

ଗତବର୍ଷ କରୋନା ଆସିଲା, ଲକଡାଉନ ହେଲା । ଦୋକାନ ବଜାର ସବୁ ବନ୍ଦ । ବାଡ଼ିରେ ଥିବା ଯେତକ ପନିପରିବା ସବୁ ସେଇଠି ପଡିରହିଲା । ନା ବଜାର ଖୋଲିଲା ନା ସରକାର କୌଣସି ବ୍ୟବସ୍ଥା କଲେ । ନିଜ ଭାଗ୍ୟ ଆଦରି କୋରାପୁଟ ଚାଷୀ କରୋନାର ସବୁ ଦୁର୍ଦ୍ଦଶା ସହିଗଲେ । ବର୍ଷେ ପରେ ନିଜ ଅଂଟା ସଳଖିବା ଓ ନିଜ ପରିବାରକୁ ଦାନା ଟିକକ ଦେବାପାଇଁ ସୂର୍ଯ୍ୟମୁଖୀ ଚାଷ ଉପରେ ଭରସା କଲେ । ହେଲେ ଚାଷ ଆରମ୍ଭରୁ ଠକାମୀର ଶିକାର ହେଲେ ।

ଆନ୍ଧ୍ର ବେପାରୀଙ୍କ ନିମ୍ନମାନର ମଞ୍ଜି କିଣିଥିବାରୁ ସୂର୍ଯ୍ୟମୁଖୀ ଚାଷରେ ମୂଳ ଅର୍ଥ ବାହାରିବ କି ନା ସେହି ଆଶା ଆଶଙ୍କାରେ ଏବେ କୋରାପୁଟ ଚାଷୀକୂଳ । ସେହିପରି ସୂର୍ଯ୍ୟମୁଖୀ ଚାଷ ପାଇଁ କୌଣସି ସରକାରୀ ସୁବିଧା ନଥିବା ବେଳେ ଏହା ଚାଷୀଙ୍କ ସମସ୍ୟାକୁ ଆହୁରି ବଢାଇଛି । କିଛି ବ୍ୟକ୍ତି ବାହାର ଜିଲ୍ଲାରୁ ମଞ୍ଜି ଆଣି ଚାଷ କରିଥିବାରୁ ଫସଲ ଭଲ ହୋଇଥିବା ପ୍ରକାଶ କରିଛନ୍ତି । କିନ୍ତୁ ଏତିକିରେ ସମସ୍ୟା ସରିନି । ଯେଉଁ ଚାଷୀଙ୍କ ଫସଲ ଭଲ ହୋଇଛି ଏବେ ତାହାକୁ ବିକିବା ପାଇଁ ଆନ୍ଧ୍ର ବେପାରୀ ହିଁ ଭରସା । ଆଖ ପାଖରେ କୌଣସି ତେଲ ମିଲ ନଥିବା ବେଳେ କମ ଦାମରେ ବାହାର ରାଜ୍ୟ ବେପାରୀଙ୍କୁ ନିଜ ଫସଲ ବିକିବାକୁ ବାଧ୍ୟ କୋରାପୁଟ ଚାଷୀ ।

ଲକଡାଉନ ପୂର୍ବରୁ ମାତ୍ର ୮୦ ଟଙ୍କାରେ ଏକ ଲିଟର ତେଲ ମିଳୁଥିବା ବେଳେ ଏବେ ସେହି ତେଲ ପାଇଁ ଦୁଇ ଗୁଣା ଅଧିକ ମୂଲ୍ୟ ଦେବାକୁ ପଡୁଛି । ଏପଟେ ଚାଷୀ ନିଜର ସୂର୍ଯ୍ୟମୁଖୀ ଫସଲ ପାଇଁ ସଠିକ ମୂଲ୍ୟ ପାଇ ପାରୁନଥିବା ବେଳେ ତେଲ ଦର ଖାଉଟିଙ୍କୁ ହନ୍ତସନ୍ତ କଲାଣି । ସୂର୍ଯ୍ୟମୁଖୀକୁ ଏକ ଅର୍ଥକାରୀ ଫସଲ କୁହାଯାଇଥାଏ । କିନ୍ତୁ ନିମ୍ନମାନର ମଞ୍ଜି ସାଙ୍ଗକୁ ଉପଯୁକ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ କାରଣରୁ ସୂର୍ଯ୍ୟମୁଖୀ ଚାଷ ଚାଷୀଙ୍କୁ କନ୍ଦାଇଲାଣି । ତେଣୁ ସମୟ ଥାଉ ଥାଉ ଉପଯୁକ୍ତ ସରକାରୀ ପ୍ରତ୍ସାହନ ହେଉ ଅବା ସୂର୍ଯ୍ୟମୁଖି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦେବା ନେଇ ଦାବି ଉଠିଛି ।