କନକ ବ୍ୟୁରୋ: ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା । ଖଣ୍ଡ ଖଣ୍ଡ ହୋଇଛି ମିଳୁଛି ଶରୀର ଅଂଶ । କଟା ହାତ, ଗଣ୍ଡି ପରେ ପୋଖରୀରୁ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଂଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଉଛି । ବୁଧବାର ଠାରୁ ସେ ନିଖୋଜ ଥିଲେ । କଟାହାତ ବାଇପାସ ନିକଟରୁ ଉଦ୍ଧାର ହୋଇଥିଲା ବେଳେ ଶରୀର, ମୁଣ୍ଡ ଓ କଟା ଗୋଡ ଭବାନୀପୁôର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି । ରମେଶ ପାଖାପଖି ୩ଟା ବେଳେ ପଂଚାୟତରୁ ଘରକୁ ଫେରି ଘର ବାହାରେ ଜଣେ ଯୁବକଙ୍କ ସହିତ କଥା ହୋଇଥିଲେ ।
ଏହାପରେ ତାଙ୍କ ସହ କୁଆଡେ ଚାଲିଯାଇଥିଲେ । ଶେଷଥର ବଡଭାଇଙ୍କ ସହ ରାତି ୭ଟାରେ କଥା ହୋଇଥିଲେ ଓ ବିଳମ୍ବିତ ରାତିରେ ଘରକୁ ଫେରିବେ ବୋଲି କହିଥିଲେ । ଏହା ପରେ ସେ ଫେରିନଥିଲେ ଓ ତାଙ୍କ ମୋବାଇଲ ବି ସ୍ୱିଚ ଅଫ ଥିଲା । ସକାଳ ଯାଏ ଘରକୁ ନଫେରିବାକୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । କାଲି ସନ୍ଧ୍ୟାରେ ରମେଶଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଲିସ ଶରୀରର ଅନ୍ୟ ଅଂଶକୁ ଖୋଜାଖୋଜି କରୁଛି ।