ଶ୍ମଶାନରୁ ଶୁଭିଲା ଓଁକାର ଶବ୍ଦ : ଦାବିଦାର ନଥିବା ୩୮ଟି ଅସ୍ଥିର ବିସର୍ଜନ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ମଶାଣୀ ବନ୍ଧୁ; ପ୍ରୟାଗରାଜରେ ବିସର୍ଜନ ହେବ କୋଭିଡରେ ମୃତକଙ୍କ ଅସ୍ଥି

297

କନକ ବ୍ୟୁରୋ : ମଶାଣୀରେ ଶୁଭିଲା ଓଁକାର ଶବ୍ଦ । ଏହିଭଳି ଚିତ୍ର ଓ ଶବ୍ଦ ସୁନ୍ଦରଗଡ ରାଣୀବଗିଚା ଶ୍ମଶାନରୁ ଆସିଛି । ଏହି ମଶାଣୀରେ ପ୍ରାୟ ୪ଶହରୁ ଅଧିକ କୋଭିଡ ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି କିଛି ସ୍ୱେଚ୍ଛାସେବୀ । ଯେଉଁ ମୃତଦେହର କେହି ଦାବିଦାର ନଥିଲେ ସେଗୁଡିକୁ ମଶାଣୀ ବନ୍ଧୁଙ୍କ ସହ ମିଶି ଦାହ କରିଥିଲେ ଏହି ସ୍ୱେଚ୍ଛାସେବୀ ।

ତେବେ ଶ୍ମଶାନରେ ଶବଦାହ କରି ମୃତକଙ୍କ ପରିବାର କିମ୍ବା ଆତ୍ମୀୟ ସ୍ୱଜନଙ୍କୁ ସେମାନଙ୍କ ଅସ୍ଥି ପ୍ରଦାନ କରିଥିଲେ । ହେଲେ ୭୬ରୁ ଅଧିକ ମୃତକଙ୍କ ଅସ୍ଥି ନେବାକୁ କେହି ଆସିନଥିଲେ । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ କିଛି ବ୍ୟକ୍ତି ଆସି କେତେକ ଅସ୍ଥିକୁ ସାଙ୍ଗରେ ନେଇଯାଇଥିଲେ । କିନ୍ତୁ ଏବେ ବି ଏଠାରେ ୩୮ଟି ଏହିଭଳି ଅସ୍ଥି ରହିଛି ଯାହାର କେହି ଦାବିଦାର ନାହାନ୍ତି । ଦୀର୍ଘଦିନ ଅପେକ୍ଷା କରିବା ପରେ ଏବେ ଏହି ଅସ୍ଥିଗୁଡିକୁ ଶୁଦ୍ଧ କରାଇବା ସହ ଆଜି ବିଳମ୍ବିତ ରାତିରେ ପ୍ରୟାଗରାଜରେ ନେଇ ବିସର୍ଜନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।