ଗାଁ ଦାଣ୍ଡରେ ବସିଲେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ : ଗାଁ ଦାଣ୍ଡରେ କଲେ ଜନଶୁଣାଣି ; ବୁଝିଲେ ଲୋକଙ୍କ ସମସ୍ୟା 

217

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବସିଛନ୍ତି ବିଧାୟିକା । ରାସ୍ତା ମଝିରେ ପଡିଛି ଜରି ପାଲ । ବିଧାୟିକାଙ୍କ ଆଗରେ ବସି ଛନ୍ତି ଗ୍ରାମବାସୀ । ଏମିତି ଗାଁ ଦାଣ୍ଡରେ ଚାଲିଛି ଜନଶୁଣାଣି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ଏପରି ଖୋଲାମଂଚ ଜନଶୁଣାଣି ଏବେ ଗାଁ ଗାଁରେ ବସୁଛି । ଗାଁକୁ ଗାଁ ବୁଲି ବୁଲି ବିଧାୟିକା ସିଧାସଳଖ ଲୋକଙ୍କ ସହିତ କଥା ହୋଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି । ବିଧାୟିକାଙ୍କର ଏହି ଯୋଜନା ସୁନ୍ଦରଗଡ ଜିଲ୍ଲାର ଟାଙ୍ଗରପାଳ ବ୍ଲକର ମେଗଡେଗା ପଂଚାୟତର ୯ଟି ରାଜସ୍ୱ ଗାଁରୁ ଆରମ୍ଭ ହୋଇଛି । ଲୋକଙ୍କ ଠାରୁ ସମସ୍ୟା ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହିତ ସେହି ସ୍ଥାନରୁ କଥା ହୋଇ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ବିଧାୟିକା ।

ଅନେକ ସମୟରେ ଲୋକେ ସମସ୍ୟା ଜଣାଇବାକୁ ବିଧାୟକଙ୍କ ଭେଟ ପାଇନଥାନ୍ତି । ସାକ୍ଷାତ ବି ହୋଇପାରିନଥାଏ । କିନ୍ତୁ ଏବେ ବିଧାୟକ ନିଜେ ଆସୁଛନ୍ତି ଗାଁକୁ । ଲୋକଙ୍କ ନିକଟକୁ । କଥା ହେଉଛନ୍ତି , ସମସ୍ୟା ବୁଝୁଛନ୍ତି, ସମାଧାନ କରାଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଖୁସି ପ୍ରକାଶ କରିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା , ବିଧାୟକ ହେବ ତ ଏମିତି ।