ଶିଶୁଙ୍କ ଠାରେ କରୋନା ସଂକ୍ରମଣ ବଢୁଛି, ସୁନ୍ଦରଗଡ ପ୍ରଶାସନ କେତେ ପ୍ରସ୍ତୁତ?

130

କନକ ବ୍ୟୁରୋ : ରାଜ୍ୟରେ ଛୋଟ ପିଲାଙ୍କ ଠାରେ ବଢୁଛି କରୋନା । ଶୂନରୁ ୧୮ ବର୍ଷ ମଧ୍ୟରେ ଆଉ ୧୨୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଜଣେ ୬ ବର୍ଷର ନାବାଳିକାର କରୋନାରେ ମୃତ୍ୟୁ ହୋଇଛି । ବାଲେଶ୍ୱରର ୬ ବର୍ଷର ଝିଅର ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ବିଶେଷଜ୍ଞ ଠାରୁ ଆରମ୍ଭ କରି ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି କରୋନା ମୁକାବିଲା । ଏହି ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ଉଭୟ ଦେଶ ଓ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

କରୋନାର ଦ୍ୱିତୀୟ ଲହର ସୁନ୍ଦରଗଡ ଜିଲ୍ଲାରେ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଥିଲା । ଜିଲ୍ଲାରୁ ହଜାର ହଜାର ଆକ୍ରାନ୍ତ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ସେତେବେଳେ ସଂକ୍ରମଣ ରୋକିବା ସହ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ଏନଟିପିସି ମେଡିକାଲ କଲେଜର କୋଭିଡ ହସ୍ପିଟାଲ । ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଥିବା ସୁନ୍ଦରଗଡ ଜିଲ୍ଲାରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ତୃତୀୟ ଲହରରେ ୦-୧୮ ବର୍ଷର ଶିଶୁ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ସୁନ୍ଦରଗଡ କୋଭିଡ ହସ୍ପିଟାଲ ଶିଶୁଙ୍କ ପାଇଁ ୬୦ ଶଯ୍ୟା ବିଶିଷ୍ଟ ୱାର୍ଡ ପ୍ରସ୍ତୁତ କରାଯାଇଛି । ଏଠାରେ ଅକ୍ସିଜେନ୍ ଯୁକ୍ତ ବେଡ ରହିଛି । ବିଶେଷଜ୍ଞ ଡାକ୍ତର ଆକ୍ରାନ୍ତ ଶିଶୁର ସ୍ୱାସ୍ଥ୍ୟ ସଂପର୍କରେ ଯାଞ୍ଚ କରିବା ପରେ ଶିଶୁଟି କେଉଁ ୱାର୍ଡରେ ରହି ଚିକିତ୍ସିତ ହେବ ତାହା ସ୍ଥିର କରିବେ । ଶିଶୁଙ୍କ ପାଇଁ ଅକ୍ସିଜେନ ଯୁକ୍ତ ବେଡ୍ ସହ  ୧୦ଟି ଆଇସିୟୁ ଭେନ୍ଟିଲେଟର  ଯୁକ୍ତ ଶଯ୍ୟାର ବ୍ୟବସ୍ଥା ହୋଇଛି । ସେହିଭଳି ନବଜାତକ ଅର୍ଥାତ୍ ଶୂନରୁ ୨୮ ଦିନର ଶିଶୁଙ୍କ ପାଇଁ ଏନଆଇସିୟୁ ରହିଛି ।

ପୂର୍ବରୁ  ସୁନ୍ଦରଗଡ ସହର କିମ୍ବା ଏନଟିପିସି ମେଡିକାଲ କଲେଜରେ ଆରଟିପିସିଆର ଟେଷ୍ଟର ବ୍ୟବସ୍ଥା ନଥିଲା । ଆରଟିପିସିଆର ଟେଷ୍ଟ ପାଇଁ ରାଉରକେଲା, ଭୁବନେଶ୍ୱର, କଟକକୁ ସାମ୍ପୁଲ ପଠାଯାଉଥିଲା । ରିପୋର୍ଟ ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଏବେ ଆଉ ସେଇ ସମସ୍ୟା ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଟିପିସି ମେଡିକାଲ କଲେଜରେ ଆରଟିପିସିଆର ଟେଷ୍ଟ କରାଯିବ । ଦିନକୁ ୩୦୦ରୁ ଅଧିକ ସାମ୍ପୁଲ ପରୀକ୍ଷା କରାଯିବ ଏବଂ ୨୪ ଘଂଟାରେ ରିପୋର୍ଟ ମିଳିବ ।