କନକ ବ୍ୟୁରୋ: ଜୁନ ୧ରୁ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପର ରବିବାର ଖେଳାଯିବ ସବୁଠୁ ବଡ଼ ମ୍ୟାଚ । ନ୍ୟୁୟର୍କରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ କାଉଂଟଡାଉନ ଆରମ୍ଭ ହୋଇଯାଇଛି । ଦୁଇ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଟୁର୍ଣ୍ଣାମେଂଟରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି । ସୁପର ଓଭରରେ ନୂଆ ଟିମ୍ ଆମେରିକାରୁ ଠୁ ପାକିସ୍ତାନ ହାରିଥିବା ବେଳେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି । ତେଣୁ ବାବର ବାହିନୀ ଅପେକ୍ଷା ରୋହିତ ବାହିନୀର ମନୋବଳ ଦୃୃଢ ରହିଛି । କିନ୍ତୁ ଆମେରିକାର ପିଚ୍ ଭଲ ନଥିବାରୁ ଚିନ୍ତାରେ ଅଛି ଟିମ ମ୍ୟାନେଜମେଂଟ । ଭଲ ରନ ହେଉନଥିବାରୁ ପିଚ ଖେଳର ମୋଡ ବଦଳାଇ ଦେବାର ସମ୍ଭାବନା ରହିଛି ।

ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଟିମର ଚୂଡାନ୍ତ ଏକଦଶରେ କିଏ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯୁବ ବ୍ୟାଟର ଯଶ୍ୱସୀ ଜୟସ୍ୱାଲଙ୍କୁ ଏଥର ନିରାଶ ହେବାକୁ ପଡିପାରେ । ଆୟର୍ଲାଣ୍ଡ ବିପକ୍ଷରେ ଓପନିଂ କରିଥିବା ରୋହିତ ଶର୍ମା ଓ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଓପନିଂ କରିବେ ବୋଲି ସୂଚନା ମଳିଛି । ୩ ନମ୍ବରରେ ବାଂଲାଦେଶ ବିପକ୍ଷ ୱାର୍ମଅପ୍ ମ୍ୟାଚ ଏବଂ ଆୟର୍ଲାଣ୍ଡ ବିପକ୍ଷରେ ଭଲ ପଦର୍ଶନ କରିଥିବା ୱିକେଟ କିପର ବ୍ୟାଟର ରିଷବ ପନ୍ତ ଟିମରେ ସାମିଲ ହୋଇପାରନ୍ତି । ୪ ନମ୍ବରରେ ସୂର୍ଯ୍ୟକୁମାର ଯାଦବ ଖେଳିବା ନିଶ୍ଚିତ । ଟି-୨୦ କ୍ରିକେଟରେ ଅଲରାଉଣ୍ଡରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଦଳରେ ୪ ଅଲରାଉଣ୍ଡର ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ ଙ୍କୁ ଦଳରେ ସାମିଲ କରାଯାଇପାରେ । ବୋଲର ଭାବେ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଅସଦୀପ ସିଂ ଦଳରେ ରହିବେ ।

ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ ଟିରେ ବିଜୟ ହୋଇଛି । କିନ୍ତୁ ପାକିସ୍ତାନ ଟିମରେ ବାବର ଆଜମ, ଫକର ଜମାନ, ହରିସ ରୌଫ, ମହମ୍ମଦ ଅମିରଙ୍କ ଭଳି ଅଭିଜ୍ଞ ଖେଳାଳି ଥିବାରୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।