କରୋନା ସଂକ୍ରମଣକୁ ନେଇ ଆକ୍ସନ ମୋଡରେ ୟୁପି ମୁଖ୍ୟମନ୍ତ୍ରୀ । ରବିବାର ପୂର୍ଣ୍ଣ ଲକଡାଉନ । ବିନା ମାସ୍କରେ ଧରାପଡିଲେ ୧ ହଜାର ଟଙ୍କା ଜରିମାନା

131

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନଜରରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ ରବିବାର ଦିନ ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ପୁରା ରାଜ୍ୟରେ ଏହି ଲକଡାଉନ୍ ଲାଗୁହେବ । ଅତ୍ୟାବଶକୀୟ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଏହିଦିନ ବ୍ୟାପକ ଭାବେ ସାନିଟାଇଜେସନ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ମାସ୍କ ନପିନ୍ଧି ଧରାପଡିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କ ସହ ବୈଠକ କରିଥିଲେ । ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି । ସେହିଭଳି ବାରଣାସୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାରକୁ ସପ୍ତାହନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହି ଦୁଇଦିନ ପୁରା ବାନରସ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ ।
ସରକାରଙ୍କ ନିଷ୍ପତ୍ତି ମୁତାବକ ବିନା ମାସ୍କରେ ପ୍ରଥମଥର ଧରାପଡିଲେ ୧ ହଜାର ଓ ଦ୍ୱିତୀୟ ଥର ଧରାପଡିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଅନ୍ୟପଟେ ରାଜ୍ୟରେ ଯେଉଁ ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି ସେହି ଅଞ୍ଚଳରେ ଅଧିକ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।