ନିର୍ବାଚନକୁ ଚାହିଁଛି ସୁନ୍ଦରୀ! ନିର୍ବାଚନ ଯୋଗୁଁ ୫ ମାସ ଧରି ଜନ୍ତାରେ ବନ୍ଧା ପଡ଼ିଛି ବାନ୍ଧବଗଡ଼ର ବାଘୁଣୀ, କେବେ ହେବ ମୁକ୍ତ?

154

କନକ ବ୍ୟୁରୋ : ନିର୍ବାଚନ ପାଇଁ ଜନ୍ତାରେ ଫଶିରହିଲା ବାଘୁଣୀ ସୁନ୍ଦରୀ । ଜନ୍ତାରୁ କେବେ ମୁକୁଳିବ ବାନ୍ଧବଗଡର ବାଘୁଣୀ ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କାହିଁକି ନା ନିର୍ବାଚନୀ ସମୟରେ ରାଜ୍ୟ ସରକାର ଏବେ ସୁନ୍ଦରୀର ଟେନସନ ନେବାକୁ ଚାହୁଁନାହାନ୍ତି । ସେପଟେ ବିଶେଷଜ୍ଞଙ୍କ କହିବା ହେଲା ଯଦି ବାଘୁଣୀ ଏହିପରି ଏନକ୍ଲୋଜରରେ ରହେ ତେବେ ତାର ବ୍ୟାବହାରିକ ପରିବର୍ତନ ଘଟିବାର ସମ୍ଭାବନା ରହିଛି ।

ନଭେମ୍ବର ୫ ତାରିଖରୁ ଜନ୍ତାରେ ରହିଛି ବାନ୍ଧବଗଡର ବାଘୁଣୀ ସୁନ୍ଦରୀ । ଅନୁଗୁଳ ଜିଲ୍ଲା ରାଇଗୁଡାର ଏନକ୍ଲୋଜରରେ ଦୀର୍ଘ ୫ମାସ ଧରି ରହିଛି ସୁନ୍ଦରୀ । ଜଙ୍ଗଲ ଖୋଜୁଛି ବାଘୁଣୀ, ଶିକାର ଖୋଜୁଛି ବାଘୁଣି । ହେଲେ ବାଘୁଣୀର ଶିକାର କରିବା ଏବେ ବନ୍ଦ ରହିଛି । ବାରାହା ମାରି ସୁନ୍ଦରୀକୁ ଖାଇବାକୁ ଦେଉଛି ବନ ବିଭାଗ । ପ୍ରଶ୍ନ ଉଠୁଛି ଯଦି ଏହିପରି ଏନକ୍ଲୋଜର ଭିତରେ ବାଘୁଣୀ ରହେ ତେବେ ତାର ବ୍ୟବହାରିକ ପରିବର୍ତନ ଘଟିବ କି?

ବିଶେଷଜ୍ଞଙ୍କ ମତ ଅନୁସାରେ ଏହିପରି ରହିବା ଦ୍ୱାରା
• ବାଘୁଣୀ ଘରୋଇ ହୋଇଯିବାର ଆଶଙ୍କା ରହିଛି ।
• ବାଘୁଣୀର ହିଂସ୍ର ଆଚରଣରେ ପରିବର୍ତନ ଘଟିପାରେ ।
• ଶିକାର ଭୁଲିଯିବାର ସମ୍ଭାବନା ରହିଛି ।
• ସହଜରେ ଶିକାର କରିବାର ପ୍ରବୃତି ମଧ୍ୟ ଦେଖାଦେଇପାରେ ।

ଏବେ ନିର୍ବାଚନ ସମୟ ହୋଇଥିବାରୁ ରାଜ୍ୟ ସରକାର ମଧ୍ୟ ସୁନ୍ଦରୀର ଟେନସନ ନେବାକୁ ଚାହୁଁନାହାନ୍ତି । ତେଣୁ ବାଘୁଣୀକୁ ଟ୍ରାଙ୍କୁଲଲାଇଜ କରି ଦୀର୍ଘ ୫ମାସ ହେବ ରାଇଗୁଡା ଏନକ୍ଲୋଜରରେ ରଖାଯାଇଛି । ଏନଟିସିଏ ଓ ଡବ୍ଲୁ ଆଇଆଇ ସହିତ ବାରମ୍ବାର ଆଲୋଚନା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ବାଘୁଣୀ ସୁନ୍ଦରୀକୁ କେବେ ଜନ୍ତାରୁ ବାହାର କରିବ ସେନେଇ କିଛି ଠୋସ ନିଷ୍ପତି ନେଇନାହିଁ । ପିସିସିଏଫଙ୍କ କହିବା କଥା ମେ ମାସରେ ସୁନ୍ଦରୀରୁ ଏନକ୍ଲୋଜରକୁ ବାହାର କରିବାପାଇଁ ନିଷ୍ପତି ହୋଇପାରେ ।ଏବେ ସୁନ୍ଦରୀର ଅପେକ୍ଷା ମେ ୨୩ ତାରିଖକୁ । ନିର୍ବାଚନୀ ଫଳାଫଳ ଆସିବା ପରେ ହିଁ ବାଘୁଣୀ ସୁନ୍ଦରୀ ଏନକ୍ଲୋଜରରୁ ମୁକ୍ତ ହେବାର ରାସ୍ତା ବାହାରିବ ।