ଗୋ-ସେବାରେ ନିମଗ୍ନ ବଣେଇ ରାଜ ପରିବାରର କନ୍ୟା । ୨୦ ବର୍ଷ ହେବ ଗୋ-ମାତାଙ୍କ ଯତ୍ନ ନେଉଛନ୍ତି ଚିନ୍ମୟୀ ଦେଓ

କହିଲେ, ଗୋ-ବଂଶ ରକ୍ଷା କରିବା ପାଇଁ ମାଆଙ୍କ ଠାରୁ ପାଇଥିଲି ପ୍ରେରଣା

203

କନକ ବ୍ୟୁରୋ: ଗୋ-ସେବାରେ ନିମଗ୍ନ ରାଜା ପରିବାରର କନ୍ୟା । ସୁନ୍ଦରଗଡ ବଣେଇରୁ ଆସି ପୁରୀରେ ଗୋ-ସେବା କରୁଛନ୍ତି ଚିନ୍ମୟୀ ଦେଓ । ନିଜ ପିଲା ପରି ଗାଇ ଓ ବାଛୁରୀଙ୍କ ଯତ୍ନ ନେଉଛନ୍ତି । ପପୁ ବୋତଲରେ ବାଛୁରିକୁ କ୍ଷୀର ପିଆଇ ଦେବା ସହ ଗାଇ-ଗୋରୁଙ୍କ ଦେହରେ ଔଷଧ ଲଗାଇ ତାଙ୍କୁ ସୁସ୍ଥ କରିବାରୁ ରହିଛି ଆନନ୍ଦ । ଏଥିପାଇଁ ତ ବିବାହ ନକରି ଗୋ-ସେବାରେ ଲାଗିଛନ୍ତି ରାଜ ପରିବାରର ଝିଅ ।

ଗୋ-ସେବାରେ ନିଜକୁ ନିୟୋଜିତ କରିଛନ୍ତି ରାଜପରିବାରର ଝିଅ । ଛୋଟ ବାଛୁରିକୁ ମାଆ ପରି ସ୍ନେହ କରିବା ସହ ବୋତଲରେ କ୍ଷୀର ପିଆଇ ଦେଉଛନ୍ତି ଯୁବତୀ । ଏହି ଯୁବତୀ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ ବଣେଇ ରାଜପରିବାରର କନ୍ୟା, ଗୋ-ସେବିକା ଚିନ୍ମୟୀ ଦେଓ । ସକାଳୁ ସଂଧ୍ୟା ଯାଏଁ ପୁରୀ ବାଘଆଖଡା ମଠ ଜଗନ୍ନାଥ ଗୋ-ସେବା ସଂସ୍ଥାନରେ ଗାଇ-ଗୋରୁଙ୍କୁ ଖାଦ୍ୟ ଖୁଆଇବା ସହ ସେମାନଙ୍କ କ୍ଷତ ସ୍ଥାନରେ ଔଷଧ ଲଗାଇ ଦିଅନ୍ତି ଚିନ୍ମୟୀ । ପ୍ରତି ଦିନ ସବୁ କାମ ଭିତରୁ କିଛି ସମୟ କାଢି ଗୋ-ମାତାଙ୍କ ସୁରକ୍ଷା ଓ ଗୋବଂଶ ରକ୍ଷା ପାଇଁ କାମ କଲେ ଇଶ୍ୱରଙ୍କ ଆଶିର୍ବାଦ ମିଳେ ବୋଲି ତାଙ୍କର ବିଶ୍ୱାସ ରହିଛି ।

୨୦ ବର୍ଷ ହେବ ଚିନ୍ମୟୀ ଗୋମାତା ସେବାରେ ଲାଗିଛନ୍ତି । ପ୍ରଥମେ ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠରେ ଗୋ-ସେବା କରୁଥିଲେ । ପରେ ଶ୍ରୀଜଗନ୍ନାଥ ଗୋ-ସେବା ସଂସ୍ଥାନରେ କାମ କରୁଛନ୍ତି ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ଗୋ-ସେବା ସଂସ୍ଥାନର ସଂପାଦକ । ଚିନ୍ମୟୀଙ୍କ ପରି ଅନ୍ୟମାନେ ମଧ୍ୟ ଗୋ-ବଂଶ ରକ୍ଷା ପାଇଁ ଆଗେଇ ଆସିବା ଜରୁରୀ ।