କନକ ବ୍ୟୁରୋ : ଝାଟି ମାଟି କୁଡିଆ ଘରେ ବୃଦ୍ଧାଙ୍କ ସଂଘର୍ଷ କାହାଣୀ । ଅସହାୟ ଏହି ବୃଦ୍ଧାଙ୍କୁ ଦେଖିଲେ କାହାର ବି ହୃଦୟ ତରଳିଯିବ । ଗଛ ଲତା ଘେରି ରହିଥିବା କୁଡିଆ ଘରେ ନିସହାୟ ହୋଇ ଜୀବନ ବିତାଉଛନ୍ତି ସୁନ୍ଦରଗଡ ବିରବିରା ପଂଚାୟତ ତଳସରା ଗାଁର ଚଂଚଳା ଭଇଁସାଲ । ବୟସ ୭୦ ପାର ହୋଇଗଲାଣି । ଗୋଡ ହାତ ଭଲ ଭାବେ ଚଳୁନି । ଆଖିକୁ ଭଲଭାବେ ଦେଖାଯାଉନି । ପେଟକୁ ମୁଠାଏ ଖାଇବାକୁ ଯୋଗାଡ କରିପାରୁନଥିବା ବେଳେ ସରକାରଙ୍କ କୌଣସି ଯୋଜନା ତାଙ୍କ ପାଇଁ ନାହିଁ । ଭତାରୁ ନେଇ ଘର ଖଣ୍ଡିଏ ପାଇଁ ସବୁଠି ଗୁହାର କରି ନିରାଶ ହୋଇପଡିଛନ୍ତି ଚଂଚଳା । ଗୁରୁଣ୍ଡି ଗୁରୁଣ୍ଡି ସବୁ କାମ କରୁଥିବା ବେଳେ ଏବେ କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି ।
ଗୁହାଳଠୁ ବଳି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ରହୁଛନ୍ତି ବୃଦ୍ଧା । ଖାଇବାକୁ ମୁଠାଏ ମିଳିବା ତାଙ୍କ ପାଇଁ ସ୍ୱପ୍ନ । ବଂଚିବାକୁ ପ୍ରତିଥର ପ୍ରତି ମୁହୁର୍ତରେ ସଂଘର୍ଷ କରିଚାଲିଛନ୍ତି ଏହି ଅସହାୟ ବୃଦ୍ଧା । ସେପଟେ ସମସ୍ୟା ସମ୍ପର୍କରେ ଜାଣିବା ପରେ ଚଂଚଳାଙ୍କୁ ସହାୟତା ଯୋଗାଇବାକୁ ମିଳିଛି ପ୍ରତିଶ୍ରୁତି ।
ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଚଂଚଳାଙ୍କୁ ସାହାଯ୍ୟ କରିବା ସହ ଘର ଖଣ୍ଡି ଯୋଗାଯାଇପାରିଲେ ଚଂଚଳାଙ୍କୁ ଏକ ନୂଆ ଜୀବନ ମିଳିପାରିବ ।