କନକ ବ୍ୟୁରୋ : ଭୁମିହୀନଙ୍କୁ ଜମି ଦିଅ, ଉଚ୍ଛେଦ ଆଦେଶ ପ୍ରତ୍ୟାହାର କର । ଏଭଳି ନାରାବାଜୀରେ କମ୍ପୁଥିଲା ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖ। ନୂଆ ସରକାରଙ୍କୁ ଦୁଇ ମାସ ନପୁରୁଣୁ ଆଦିବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡିଛି। ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ୧୦ ହଜାର ଆଦିବାସୀ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରକୁ ଚେତାଇବା ପାଇଁ ଏହା ଛୋଟ ଆନ୍ଦୋଳନ, ଉଚ୍ଛେଦ ଆଦେଶ ପ୍ରତ୍ୟାହାର ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଥିବା ଜାଣି ତାତିଛନ୍ତି ଆଦିବାସୀ। ଦୀର୍ଘ ଦିନରୁ ଆଦିବାସୀମାନେ ଜଙ୍ଗଲ ଜମିରେ ଚାଷବାସ କରି ଜୀବନ ଯାପନ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ ଅଛି । ଏଠାରେ ପେଶା ଆଇନ୍ ମଧ୍ୟ ଲାଗୁ ହୋଇଛି। ସେସବୁ ଆଇନ ଅନୁସାରେ ଆଦିବାସୀଙ୍କୁ ଥଇଥାନ କରିବା ବଦଳରେ ଭୂମିହୀନ କରି କମ୍ପାନୀ ହାତରେ ଜଙ୍ଗଲ ଜମିକୁ ଟେକି ଦେବାକୁ ସରକାର ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି କଂଗ୍ରେସ ।
ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।