ଭିଜିଲାନ୍ସ ଜାଲରେ ଟିଡିସିସି ମ୍ୟାନେଜର : ବୋଲେରୋରେ ୧୯ଲକ୍ଷରୁ ଅଧିକ ଟଙ୍କା ନେଇ ଗଲାବେଳେ ଧରିଲା ଭିଜିଲାନ୍ସ

389

କନକ ବ୍ୟୁରୋ : ବାବୁ ନେଇ କି ଯାଉଥିଲେ ପୁଳାପୁଳା ଟଙ୍କା । ଗୋଡେଇ ଗୋଡେଇ ଧରିଲେ ଭିଜିଲାନ୍ସ ବାବୁ । ଆଜି ସକାଳୁ ସକାଳୁ ଏମିତି ଏକ ଖବରକୁ ନେଇ ସୁନ୍ଦରଗଡରେ ଚର୍ଚ୍ଚା ଜୋର ଧରିଛି । ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ ଅର୍ଥାତ୍ ଟିଡିସିସିର ଜିଲ୍ଲା ପରିଚାଳକ ଜୟ ପ୍ରକାଶ ମହାନ୍ତି ଏବେ ଭିଜିଲାନ୍ସ ହାତରେ ଧରା ପଡି ଯାଇଛନ୍ତି । ଜୟପ୍ରକାଶ ଏକ ବୋଲେରୋ ଯୋଗେ ଟଙ୍କା ନେଇ ଘରକୁ ଯାଉଥିଲେ, କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଂଚ କରିଥିଲେ ।

ତାଙ୍କ ଗାଡିରେ ୧୯ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡିଥିଲା । ତେବେ ଭିଜିଲାନ୍ସ ଟିମ୍ ଟଙ୍କା ବାବଦରେ ପଚରାଉଚରା କରିବା ସମୟରେ ସନ୍ତୋଷଜନକ ଉତର ଦେଇ ପାରିନଥିଲେ ଟିଡିସିସିର ଜିଲ୍ଲା ପରିଚାଳକ ଜୟ ପ୍ରକାଶ ମହାନ୍ତି । ତେବେ ଏବେ ଜୟ ପ୍ରକାଶଙ୍କୁ ଭିଜିଲାନ୍ସ ଅଫିସକୁ ଆଣି ପଚରାଉଚରା କରାଯାଉଛି । ତେବେ ଏତେ ଟଙ୍କା ନେଇ ଜୟପ୍ରକାଶ ଝାରସୁଗୁଡାରୁ ଟ୍ରେନ ଯୋଗେ ଭୁବନେଶ୍ୱର ଯିବା ପାଇଁ ଟ୍ରେନ ଟିକଟ୍ କାଟି ସାରିଥିଲେ ।