ମାନବିକତା ଦେଖାଇଲେ ସୁନ୍ଦରଗଡ଼ ଏସପି । ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିଲେ ସାଇକେଲ ଆରୋହୀ । ହଠାତ୍ ଆହତଙ୍କୁ ଦେଖି ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଲେ ସୁନ୍ଦରଗଡ଼ ଏସପି 

938

କନକ ବ୍ୟୁରୋ: ପୋଲିସ ଯିଏ ସୁରକ୍ଷା ଓ ସାହଯ୍ୟର ଅନ୍ୟନାମ ପାଲଟି ଥାଏ । ନିଜ ପରିବାର ଅପେକ୍ଷା ସାଧାରଣ ଜନତାଙ୍କୁ ସୁରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ଚଟାଣ ଭଳି ଛିଡ଼ା ହୋଇଥାଏ ସେଭଳି ଉଦାହରଣ ସୃଷ୍ଟି କରିଛନ୍ତି ସୁନ୍ଦରଗଡ଼ ଏସପି ସୌମ୍ୟ ମିଶ୍ର । ଆଉ ତାଙ୍କୁ ନେଇ ଏବେ ସୁନ୍ଦରଗଡ଼ରୁ ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା ।

ସୂଚନା ମୁତାବକ ଗତକାଲି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର ମହରମ ପାଇଁ ରାଜଗାଙ୍ଗପୁରକୁ ଯାଉଥିଲେ । ହଠାତ୍ ତାଙ୍କ ଗାଡ଼ି ସାମ୍ନାରେ ଏକ ବାଇକ୍ ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହୀ ଆଘାତ ପାଇ ରାସ୍ତାରେ ପଡ଼ିଯାଇଥିଲେ । ଆହତଙ୍କୁ ଦେଖି ସମସ୍ତେ ଆଖି ଆଡେଇ ଚାଲିଟାଉଥିବା ବେଳେ, ହଠାତ୍ ସୁନ୍ଦରଗଡ଼ ଏସପିଙ୍କ ନଜର ପଡ଼ିଲା ସେହି ଆହତଙ୍କ ଉପରେ । ଆଉ ନିଜ ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ଫୋନ୍ କଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ସମୟ ଲାଗିବାରୁ ଅପେକ୍ଷା ନକରି ନିଜ ଗାଡ଼ିରେ ଆହତଙ୍କୁ ଡାକ୍ତରଖାନାକୁ ପଠାଇଥିଲେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର । ହେଲେ ଡାକ୍ତରଖାନାରେ ପହଁଚିବା ପରେ ଅହତଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ଫଳରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଯେଉଁ ଦୁଇ ବାଇକ୍ ଆରୋହୀ ଦୁର୍ଘଟଣା ଘଟାଇଥିଲେ ସେମାନଙ୍କୁ  ଗୁରୁତର ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଏସକର୍ଟ ଗାଡ଼ିରେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ । ଯାହାଫଳରେ ବର୍ତ୍ତମାନ ଉଭୟ ଚିକିତ୍ସାଧିନ ଅଛନ୍ତି । ତେବେ ଏନେଇ ସୁନ୍ଦରଗଡ଼ ଏସପି କହିଛନ୍ତି କି, ଯଦି କେହି ରାସ୍ତାରେ ଦୁର୍ଘଟଣାରେ ଆହତଙ୍କୁ ଦେଖନ୍ତି ତେବେ କିଛି ନଭାବି ତୁରନ୍ତ ସେମାନଙ୍କୁ ସାହାଯ୍ୟ କରନ୍ତୁ । ପୋଲିସ ତଦନ୍ତ କିମ୍ବା କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ଆପଣ ହେବେ ନାହିଁ । ତେଣୁ ଆହତକାରୀଙ୍କୁ ହାତ ବଢ଼ାଇ ତାଙ୍କ ଜୀବନ ବଞ୍ଚାଇବା ମଣିଷର ଅସଲ ମାନବିକତା ଦେଖାନ୍ତୁ  ।