ସୁନ୍ଦରଗଡ ରାଣୀବଗିଚା ମଶାଣିରେ ଆତ୍ମୀୟଙ୍କ ଅପେକ୍ଷାରେ ପଡି ରହିଛି ଅସ୍ଥି କଳସ । କରୋନା ସଂକ୍ରମଣ ଭୟରେ ୫୬ଟି ଅସ୍ଥି କଳସ ନେବାକୁ ଆସୁନାହାନ୍ତି କେହି ପରିବାର ଲୋକ ।

208

କନକ ବ୍ୟୁରୋ: କରୋନା ମହାମାରୀ କେବଳ ମଣିଷର ଜୀବନ ନେଇଛି ତାହା ନୁହେଁ, ଏହା ମାନବିକତାକୁ ମଧ୍ୟ ମାରିଦେଇଛି । ତୁଟାଇ ଦେଇଛି ରକ୍ତ ସଂପର୍କର ଡୋରି । ଭୟରେ ହେଉ କି ଅସହାୟତା, ଶେଷ ବିଦାୟ ସମୟରେ ମଧ୍ୟ ଭୁଲିଯାଉଛନ୍ତି ପ୍ରିୟ, ପରିଜନ । ମହାମାରୀ କରୋନା କାଳରେ ଦେଖିବାକୁ ମିଳୁଛି ଏହିଭଳି ଅନେକ କରୁଣ ଦୃଶ୍ୟ ।

କରୋନାରେ ମୃତକଙ୍କ କେହି ପ୍ରିୟ, ପରିଜନ ନଆସିବାରୁ ମଶାଣି ବନ୍ଧୁମାନେ ମୃତକଙ୍କୁ ମୁଖାଗ୍ନୀ ଦେଇଛନ୍ତି । ଶବ ତ ସତ୍କାର କଲେ, ହେଲେ ଏବେ ଚିନ୍ତା ପଡିଛି ମଶାଣିରେ ପଡିରହିଥିବା ଅସ୍ଥିକୁ କରିବେ କଣ ? ବାରମ୍ବାର ମୃତକଙ୍କ ପରିବାର ଲୋକଙ୍କୁ ଯୋଗାଯାଗ କଲେ ମଧ୍ୟ କେହି ନବା ପାଇଁ ଆସୁନାହାନ୍ତି । ମଶାଣିରେ ବର୍ତମାନ ପଡିରହିଛି ୫୬ ଜଣ ମୃତକଙ୍କ ଅସ୍ଥି । ହିନ୍ଦୁ ଧର୍ମରେ ନିଜ ସଂପର୍କୀୟଙ୍କ ସତ୍କାର ସରିଲା ପରେ ଅସ୍ଥିକୁ ସଂସ୍କାର କରି ବିସର୍ଜନ କରିବାର ନିୟମ ରହିଛି । ହେଲେ ଏହି ଭୂତାଣୁ ଭୟରେ ନିଜ ଆତ୍ମୀୟ ସ୍ୱଜନଙ୍କ ଅସ୍ଥିରୁ ଭୂତାଣୁ ସଂକ୍ରମିତ ହୋଇଯିବା ଆଶଙ୍କାରେ ପାଖ ମାଡୁନାହାନ୍ତି ପରିବାର ଲୋକ ।

କରୋନାର ଦ୍ୱିତୀୟ ଲହର ଆସିବା ପରେ ପ୍ରତିଦିନ ସୁନ୍ଦରଗଡ ରାଣିବଗିଚା ମଶାଣୀରେ ଜୁଇ ଜଳୁଛି । ଦୁଇ ମାସ ମଧ୍ୟରେ ପାଖାପାଖି ୨୫୦ ଶବର ସତ୍କାର କଲେଣି ମଶାଣି ବନ୍ଧୁ । ଏହି ସମୟରେ କିଛି ଲୋକଙ୍କ ପରିଜନ ଆସି ମୁଖାଗ୍ନି ଦେଉଥିବା ବେଳେ ଆଉ କିଛି ମଶାଣିର ପାଖ ମଧ୍ୟ ମାଡି ନାହାନ୍ତି । ନିଜ ଆତ୍ମୀୟଙ୍କ ଶେଷ ଦର୍ଶନ ମଧ୍ୟ କରିବାକୁ ଆସିନାହାନ୍ତି । କରୋନା ମଣିଷ ସମାଜକୁ କେଉଁ ପରିସ୍ଥିତିର ସାମ୍ନା କରିବା ପାଇଁ ବାଧ୍ୟ କରିଦେଇଛି, ଏ ହେଉଛି ତାର ସଦ୍ୟତମ ଉଦାହାରଣ । ସଂପର୍କର ମୂଲ୍ୟ କିଛି ନାହିଁ ବୋଲି ପ୍ରମାଣିତ କରିଦେଇଛି ଏହି କରୋନା ମହାମାରୀ । ତେବେ ସୁନ୍ଦରଗଡରେ ଥିବା ମଶାଣି ବନ୍ଧୁମାନେ ହାତ ଯୋଡି ନିବେଦନ କରିଛନ୍ତି ଯେ, ଅସ୍ଥି ଦ୍ୱାରା କରୋନା ବ୍ୟାପେ ନାହିଁ । ଏଥିସହ ସେମାନେ ନିଷ୍ପତି କରିଛନ୍ତି ଯଦି କେହି ଆତ୍ମୀୟ ଏସବୁ ଅସ୍ଥି କଳସକୁ ନନିଅନ୍ତି ତାହାହେଲେ ସାମୁହିକ ଅସ୍ଥି ବିସର୍ଜନ କରିବାର ବ୍ୟବସ୍ଥା କରାଯିବ । ଆଉ ଏହି ମଶାଣି ବନ୍ଧୁମାନେ ପ୍ରୟାଗରାଜ ସଙ୍ଗମକୁ ଯାଇ ଏହି ଅସ୍ଥିର ଶୁଦ୍ଧି କରି ଗଙ୍ଗାରେ ବିସର୍ଜନ କରିବେ ।

Comments are closed.