ସୁନ୍ଦରଗଡରେ ପୁଣି ମୁଣ୍ଡ ଟେକିବ କି ପେଶା ଆନ୍ଦୋଳନ ? ଜେଏସଡବ୍ଲ୍ୟୁକୁ ନେଇ ଆଦିବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।

166

କନକ ବ୍ୟୁରୋ: ସୁନ୍ଦରଗଡରେ ପୁଣି ମୁଣ୍ଡ ଟେକିବ କି ପେଶା ଆନ୍ଦୋଳନ ? ଜେଏସଡବ୍ଲ୍ୟୁକୁ ନେଇ ଆଦିବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଆସନ୍ତା ୨୪ ଏବଂ ୨୬ ତାରିଖ ହେବାକୁ ଥିବା ପରିବେଶ ମଞ୍ଜୁରୀ ଜନଶୁଣାଣିକୁ ନେଇ ପ୍ରବଳ ବିରୋଧ ଆଶଙ୍କା ଦେଖାଦେଇଛି । ଆଦିବାସୀ କହିଛନ୍ତି ଜୀବନ ପଛେ ଦେଇଦେବୁ କିନ୍ତୁ ଜମି ଦେବୁ ନାହିଁ । ଅନ୍ୟପଟେ ଜମି ନେବାପାଇଁ ଉଦ୍ୟମ ଚଳାଇଛି ଜେଏସଡବ୍ଲ୍ୟୁ । ଶାଗମାଛ ଦରରେ ଆଦିବାସୀଙ୍କ ଜମି କମ୍ପାନୀ କିଣି ନେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ଦୁଇ ବର୍ଷ ପୂର୍ବରୁ ଜେଏସଡବ୍ଲ୍ୟୁ କମ୍ପାନୀ ସଂପ୍ରସାରଣ ପାଇଁ ଜମି ଚିହ୍ନଟ ସମୟରେ ପେଶା ଆନ୍ଦୋଳନକାରୀଙ୍କ ବିରୋଧ ଏତେ ପ୍ରବଳ ହେଲା ଯେ ବାଧ୍ୟ ହୋଇ ଜମି ଚିହ୍ନଟ ସ୍ଥଗିତ ରଖାଗଲା । ଆଉ ଏବେ ପୁଣି କମ୍ପାନୀ ସଂପ୍ରସାରଣ ଏବଂ ଖଣି ସଂପ୍ରସାରଣ ପାଇଁ ହେବାକୁ ଯାଉଛି ପରିବେଶ ମଞ୍ଜୁରୀ ନେଇ ଜନଶୁଣାଣି । ଆସନ୍ତା ୨୪ ଏବଂ ୨୬ ରେ ଏହି ଜନଶୁଣାଣି ହେବାକୁ ଥିବା ବେଳେ ଏହା ବିରୋଧରେ ଆନ୍ଦାଳନ ପୁଣି ତେଜିବାରେ ଲାଗିଛି ।

କୁତ୍ରାର ଖତକୁରବାହାଲ ପଞ୍ଚାୟତରେ ଚୂନ ଖଣି ସଂପ୍ରସାରଣ ପାଇଁ ୧୫୬.୪୩ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ଯାଉଛି ଜେଏସଡବ୍ଲ୍ୟୁ । ଏହାକୁ ଅଞ୍ଚଳବାସୀ ବିରୋଧ କରିବା ସହିତ କହିଛନ୍ତି ଜୀବନ ଦେଇଦେବୁ ପଛେ ଜମି ଦେବୁନାହିଁ । ସେମାନଙ୍କ ଅଭିଯୋଗ, ଜମିକୁ ଶାଗ, ମାଛ ଦରରେ କିଣି ନେଇ ଆଦିବାସୀଙ୍କ ହକ୍ ଛଡ଼ାଇ ନେବାକୁ ଉଦ୍ୟମ କରୁଛି କମ୍ପାନୀ ।

କେବଳ ଖଣି ପାଇଁ ଜମି ଅଧିଗ୍ରହଣକୁ ଲୋକେ ବିରୋଧ କରୁଛନ୍ତି ତାହା ନୁହେଁ, କୁତ୍ରା ତେଲିଘଣା ସ୍ଥିତ ଜେଏସଡବ୍ଲ୍ୟୁ କମ୍ପାନୀ ସଂପ୍ରସାରଣକୁ ମଧ୍ୟ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଆଦିବାସୀ । ଅଧିବାସୀମାନଙ୍କୁ ବିନା ନୋଟିସ ଦେଇ କମ୍ପାନୀ ଏକତରଫା ଭାବରେ ଜନଶୁଣାଣି କରୁଥିବା ଅଭିଯୋଗ କରି ଏହି ଜନଶୁଣାଣିକୁ ସଂପୂର୍ଣ୍ଣ ଭାବରେ ସ୍ଥଗିତ କରିବା ପାଇଁ ରାଜରାସ୍ତାରେ ଆଦିବାସୀ ମାନେ ମେଳି କରିଛନ୍ତି ।