କନକ ବ୍ୟୁରୋ : ସୁନ୍ଦରଗଡରେ ରହିଛି ଏସିଆ ମହାଦେଶ ସବୁଠାରୁ ବଡ ଖୋଲା ମୁହଁ କୋଇଲା ଖଣି । ସୁନ୍ଦରଗଡ ଜିଲ୍ଲା ହେମଗିରିରେ ଏମସିଏଲର କୋଇଲା ଖଣି ସହ ଏନଟିପିସି, ଓପିଟିସିଏଲ, ବେଦାନ୍ତ, ଅଦାନୀ ଭଳି ବହୁ କଂପାନୀର ଅନେକ ଗୁଡାଏ କୋଇଲା ଖଣି ଅଛି । ଆଉ ଅନ୍ୟପଟେ ରହିଛି ଖଣି ଅଂଚଳର ଗାଁ ଓ ସହର । ସବୁଠି ଲାଗିଛି ବଡବଡ ହୋଡିଂ, ଯେଉଁଥିରେ ଓଡିଶାର ବିକାଶ ଧାରା ବାବଦରେ ବାର୍ତା ଦେଉଛନ୍ତି ରାଜ୍ୟ ସରକାର ।... ହେଲେ ପ୍ରକୃତରେ ଖଣି ଅଂଚଳର ସବୁ ଗାଁ କେତେ ବିକଶିତ ତାର, ନଗ୍ନ ଉଦାହରଣ ହେଉଛି ସୁନ୍ଦରଗଡର ତୁମ୍ବିଖୋଲ ଗାଁ । ତୁମ୍ବିଖୋଲ ଗାଁକୁ ଯିବାକୁ ହେଲେ ଲେଫ୍ରିପଡା–ତିଉରିଆ ରାସ୍ତାରୁ ପ୍ରାୟ ୫ କିଲୋମିଟର ସଂଘର୍ଷ କରିବାକୁ ପଡିବ ।
ବିଜୁଳି ଏଠି ସାତ ସପନ । ଦିନର ଆଲୁଅରେ ବିତେ ଜୀବନ, ରାତି ହୋଇଗଲେ ସବୁ ଅନ୍ଧାର । ରାସ୍ତା କଥା ନକହିବା ଭଲ, କଚ୍ଚା ରାସ୍ତା ବି ଦେଖିନାହାନ୍ତି ତୁମ୍ବିଖୋଲ ଲୋକେ, ପାହାଡ ଭଳି ବଡ ବଡ ପଥର ଦେଇ ଯିବାକୁ ହୁଏ । ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ତ ଆସି ପାରେ ନାହିଁ ଖଟରେ ବୁହା ହୋଇ ୪ରୁ ୫ କିଲୋମିଟର ଯିବାକୁ ପଡେ । ପାଣି କଥା ଛାଡନ୍ତୁ । ଶୋଷ ମେଂଟାଇବା ପାଇଁ ନାଳ ଓ ଚୁଆ ପାଣି ହିଁ ଏକମାତ୍ର ଭରସା । ଯଦି ଆପଣ ମୋବାଇଲ୍ ନେଇ ତୁମ୍ବିଖୋଲ ଗାଁକୁ ଯାଉଛନ୍ତି, ତେବେ ନେଟୱାର୍କ କଥା ଭୁଲିଯିବେ । କାରଣ ଏହି ଅଂଚଳର ୧୦ କିଲୋମିଟର ପର୍ଯ୍ୟନ୍ତ ନେଟୱାର୍କ ଆସିନଥାଏ ।
ଏହିଭଳି ଅନେକ ଅଭିଯୋଗ ରହିଛି ଗାଁରେ । ବିକାଶ ଠାରୁ ବହୁ ଦୁରରେ, ମୌଳିକ ସୁବିଧା ପାଇଁ ଆଜି ମଧ୍ୟ ସଂଘର୍ଷ କରୁଛନ୍ତି ଦ୍ୱିତୀୟ ନଗଡା କୁହାଯାଉଥିବା ତୁମ୍ବିଖୋଲ ଗ୍ରାମବସୀ । ଗାଁର ସମସ୍ୟା ସଂପର୍କରେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଚେଷ୍ଟା କରିଥିବା ବେଳେ ସେମାନେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଛନ୍ତି ।