ସୁନ୍ଦରଗଡରେ ମାତିଛନ୍ତି ହାତୀପଲ । ଜଙ୍ଗଲ ଛାଡି ମୁହାଁଇଛନ୍ତି ଗାଁ : କୁତ୍ରା ଓ ବଡଗାଁ ଅଂଚଳରେ ୫୦ ହାତୀଙ୍କ ଉପଦ୍ରବ

138

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ହାତୀ ଉପଦ୍ରବ । ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ । ପାଖାପଖି ୫୦ଟି ହାତୀ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଏବଂ କୁତ୍ରା ବ୍ଲକ ଅଂଚଳରେ ଆତଙ୍କ ସୃଷ୍ଟି କରିଛନ୍ତି । ଏହି ହାତୀ ପଲ ପ୍ରାୟ ସପ୍ତାହେରୁ ଦୁଇ ସପ୍ତାହେ ହେଲା ବଡ଼ଗାଁର ମହାବୀର ପାହାଡ଼ ତଳିଆ ଅଂଚଳ ଗାଁ ବିରତୁଲା, କାଦୋପଡ଼ାକୁ ପସି ଆସିଛନ୍ତି, ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଦିନ ସାରା ହାତୀପଲ ପାହାଡ଼ରେ ରହୁଥିବା ବେଳେ ରାତି ହେଲେ ଗାଁ ଭିତରକୁ ପସିଆସୁଛନ୍ତି ।

ଗାଁ ଲୋକ ଏବଂ ବନ ବିଭାଗ କର୍ମଚାରୀ ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ସେ ଅଂଚଳ ଛାଡ଼ି ଯାଉନାହାନ୍ତି । ସେହିପରି କୁତ୍ରା ବ୍ଲକ କୁସୁମଡ଼େଗି ଅଂଚଳରେ ଆଉ ଏକ ହାତୀ ପଲ ଆତଙ୍କ ଖେଳାଇଛନ୍ତି । ସନ୍ଧ୍ୟା ହେଲେ ଗାଁ ଭିତରକୁ ପସିଆସୁଛନ୍ତି । ଧାନ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ଏହି ହାତି ପଲରେ ଦନ୍ତା ହାତୀ, ମାଇ ହାତୀ ଏବଂ ଛୁଆ ହାତୀ ରହିଛନ୍ତି । ତେବେ ଏହି ହାତୀ ପଲ ସମ୍ବଲପୁର ଜିଲ୍ଲା ବାମଡ଼ା ଫରେଷ୍ଟ ରେଂଜର ବଡ଼ରମା ରିଜର୍ଭ ଫରେଷ୍ଟ ଅଂଚଳରୁ ଆସିଥିବା ଅନୁମାନ କରାଯାଉଛି ।