ସୁନ୍ଦରଗଡ଼ରେ ବଢିଲା ପ୍ରଦୂଷଣର ମାତ୍ରା : ସୁନ୍ଦରଗଡରୁ ରାଉରକେଲାରୁ କୋଇଡା ପରିବେଶ ଧୂଆଁମୟ

ସୁନ୍ଦରଗଡ଼ରେ ବଢିଲା ପ୍ରଦୂଷଣର ମାତ୍ରା : ସୁନ୍ଦରଗଡରୁ ରାଉରକେଲାରୁ କୋଇଡା ପରିବେଶ ଧୂଆଁମୟ

କନକ ବ୍ୟୁରୋ : ପ୍ରଦୂଷଣ ମାତ୍ରା ବଢିଛି ସୁନ୍ଦରଗଡରେ । ଆଉ ପ୍ରଦୂଷଣସ୍ତର ଏତିକି ବଢିଯାଇଛି ଯେ, ସୁନ୍ଦରଗଡ ଓ ରାଉରକେଲାରୁ ନେଇ କୋଇଡା ପର୍ଯ୍ୟନ୍ତ ୩୦୦ କିଲାମିଟର ସମାନ୍ ଅବସ୍ଥା । ମଙ୍ଗଳବାର ସକାଳୁ କୁହୁଡି ହେଲା ଭଳି ଚାରିଆଡେ ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା । ଆଖିରୁ ଲୁହ ଗଡୁଛି। ଲୋକେ ବାରମ୍ବର ଆଖି ଧୋଇବାଲାଗି ବାଧ୍ୟ ହେଉଛନ୍ତି। ବୃଦ୍ଧବୃଦ୍ଧା, ଛୋଟ ଛୋଟ ପିଲାମାନେ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଛନ୍ତି। ଲୋକଙ୍କ ଭିତରେ ଗୋଟିଏ ଆତଙ୍କ ସୃଷ୍ଟି ହୋଇଛି। ରାଉରକେଲା ଇସ୍ପାତ କାରଖାନାରେ କିଛି ଦୁର୍ଘଟଣା ଘଟିଥିବାରୁ ବିଷାକ୍ତ ଧୂଆଁ ବାହାରିଛି ବୋଲି ମଧ୍ୟ ଗୁଜବ ସୃଷ୍ଟି ହେଉଛି । କିଛି ଲୋକ ଶୂନ୍ୟରୁ ତୋଳି ଆଣିବା ଭଳି ଆଲୋଚନା ବି କରୁଛନ୍ତି ଯେ ଶିମିଳିପାଳରେ ନିଆଁ ଲାଗିଥିବାରୁ ସେଠାରୁ ଧୂଆଁ ପଳାଇ ଆସିଛି !

କାରଣ ଯାହା ହୋଇଥାଉ ନା କାହିଁକି, ଏ କଥା ସତ ଯେ ଦିନକୁ ଦିନ ରାଉରକେଲା ସହରରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ରାଜ୍ୟର ସବୁଠାରୁ ପ୍ରଦୂଷିତ ୬ ସହରଙ୍କ ଭିତରେ ଅନୁଗୁଳ ରେ ରାଉରକେଲା ଅଛି । ‌ଖୋଦ୍‌ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଏହା ସ୍ବୀକାର କରିଛନ୍ତି । ଏହା ସତ୍ବେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗ ପକ୍ଷରୁ ସେମିତି ତତ୍ପରତା ପ୍ରକାଶ ପାଉ ନାହିଁ । ଯାହାର ନଗ୍ନଚିତ୍ର ଆଜି ସ୍ମାର୍ଟ ସିଟିରେ ପରିଲକ୍ଷିତ ହୋଇଛି। ଇତିମଧ୍ୟରେ ଆର୍‌ଏସ୍‌ପିରୁ ନିର୍ଗତ ଧୂଆଁରେ ସହରରେ ଏଭଳି ସ୍ଥିତି ଉପୁଜିଛି ବୋଲି ହେଉଥିବା ଆଲୋଚନାକୁ ଆର୍‌ଏସ୍‌ପି ପକ୍ଷରୁ ଖଣ୍ଡନ କରା ଯାଇଛି । ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ପ୍ରକାଶ ମହାପାତ୍ର କହିଛନ୍ତି, ସ୍ମାର୍ଟ ସିଟି ଓ ଆର୍‌ଏମ୍‌ସିରେ ଚାଲିଥିବା କାମ, ଚତୁଃପାର୍ଶ୍ବରୁ ନିର୍ଗତ ଧୂଆଁରୁ ଏଭଳି ହୋଇଛି । ଜଣେ ପରିବେଶ ଇଞ୍ଜିନିୟରଙ୍କ କହିବାନୁଯାୟୀ, ବାୟୁମଣ୍ଡଳର ଧୂଳିକଣାର ସାନ୍ଧ୍ରତା ସାଧାରଣତଃ ୧୦୦ ପିଏମ୍‌ ୧୦ ରହିବା କଥା। ଗତ ୪ ତାରିଖ ସହରର ବାୟୁମଣ୍ଡଳର ସାନ୍ଧ୍ରତା ୧୪୬ ପିଏମ୍‌ ୧୦ ରହିଥିଲା। ଆଜି ଏହି ପରିମାଣ ୪ ଗୁଣରୁ ଅଧିକ ଅର୍ଥାତ୍‌ ୫୬୯ ପିଏମ୍‌ ୧୦ ରହିଛି । ଏନ୍ଆଇଟି ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତି ଧୂଳିକଣା ମାପକ ଯନ୍ତ୍ରରୁ ଏହା ଜଣାପଡିଛି ।

ଆଞ୍ଚଳିକ ପ୍ରଦୂଷଣ ବିଭାଗ ବିଭାଗୀୟ ଅଧିକାରୀ ବାୟୁମଣ୍ଡଳର ପ୍ରଦୂଷଣ ବୃଦ୍ଧି କଥାକୁ ସ୍ବୀକାର କରିଛନ୍ତି । ମାତ୍ର ଧୂଳିକଣାର ସାନ୍ଧ୍ରତା ୫୬୯ ପିଏମ୍‌୧୦ କଥାକୁ ଅସ୍ବୀକାର କରିଛନ୍ତି । ତେବେ କହିଛନ୍ତି, ଦୈନନ୍ଦିନ ଅପେକ୍ଷା ଆଜି ସହରର ବାୟୁପ୍ରଦୂଷର ମାତ୍ରା ଢ଼େର ଅଧିକ ରହିଛି। କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ସ୍ଥିତି ଉପୁଜିଲା ବିଭାଗ ପକ୍ଷରୁ ଗଠିତ ଟିମ୍‌ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଆର୍‌ଏସ୍‌ପି ପରିବେଶ ବିଭାଗକୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଇଛି। ସ୍ମାର୍ଟସିଟିରେ ବଢ଼ୁଥିବା ପ୍ରଦୂଷଣର ମାତ୍ରାକୁ ରୋକିବାକୁ ଗତ ଦୁଇ ଦିନ ଆର୍‌ଏମ୍‌ସି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆର୍‌ଏମ୍‌ସିର ଡେପୁଟି କମିଶନରଙ୍କ ସମେତ ସ୍ମାର୍ଟ ସିଟିର ଅଧିକାରୀ ଉପସ୍ଥିତ ଥିଲେ। ସହରର ବଢ଼ୁଥିବା ପ୍ରଦୂଷଣ ମାତ୍ରାକୁ କିପରି କମା ଯାଇପାରିବ ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା।

ସହର ଭିତରେ ଏବଂ ଏହା ଚତୁଃପାର୍ଶ୍ବରେ ଚାଲିଥିବା ରାସ୍ତା ସମ୍ପ୍ରସାରଣରେ ଉଡୁଥିବା ଧୂଳିକୁ ରୋକିବାକୁ ପ୍ରତ୍ୟେକ ଦିନ ଦୁଇଥର ପାଣି ସିଞ୍ଚନ କରିବାକୁ ପ୍ରଦୂଷଣ ଅଧିକାରୀ ଉଭୟ ଆର୍‌ଏମ୍‌ସି ଓ ସ୍ମାର୍ଟସିଟିର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ବିଡମ୍ବନା ଯେ ଉଭୟ ବିଭାଗ ପାଣି ସିଞ୍ଚନକୁ ସେତିକି ଗୁରୁତ୍ବ ଦେଉ ନାହାନ୍ତି। କାମ ନେଇଥିବା ଠିକା ସଂସ୍ଥା ମନଇଚ୍ଛା କରୁଥିଲେ ହେଁ ବିଭାଗୀୟ ଅଧିକାରୀ ସେମାନଙ୍କୁ ଦାଗିଦ୍‌ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଛନ୍ତି। ୧୪୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲିଥିଲେ ହେଁ ଠିକା ସଂସ୍ଥା ମଧ୍ୟ ପାଣି ସିଞ୍ଚନକୁ ଗୁରୁତ୍ବ ଦେଉ ନାହାନ୍ତି । ସେଠାରେ ମଧ୍ୟ ଏନ୍‌ଏଚ୍‌ଏଆଇର ବିଭାଗୀୟ ଅଧିକାରୀ ଚୁପ୍‌ । କାରଣ ଏସବୁକୁ ତୁରନ୍ତ ବନ୍ଦ କରାଯିବାର ସମ୍ଭାବନା ନାହିଁ । ସେଭଳି ସ୍ଥିତିକୁ ସାମ୍‌ନା କରିବାଲାଗି ପ୍ରଶାସନ ଓ ଜନସାଧାରଣ ପ୍ରସ୍ତୁତ ତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe