କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବିରେ ଆଜି ସୁନ୍ଦରଗଡ ବନ୍ଦ । ଆଦିବାସୀ ସଙ୍ଗଠନ ପରେ ବିଜେପି ପକ୍ଷରୁ ଆଜି ଗୁରବାର ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ।

Advertisment

ଦଳ ଅଭିଯୋଗ କରିଛି, ସ୍ମସିତା ଯଦି ମାନସିକ ଚାପରେ ଥିଲେ , ତାହା ହେଲେ ପ୍ରଶାସନ କାହିଁକି ପଦକ୍ଷେପ ନେଲା ନାହିଁ । ଯେଉଁମାନେ ସୁସ୍ମିତା ମିଞ୍ଜ ସହ ଥିଲେ ତାଙ୍କୁ କାହିଁକି ସୁରକ୍ଷା ଦେଇ ରଖିଲେ ନାହିଁ ସରକାର? ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ରାଜ୍ୟ ସରକାର ଫେଲ ହୋଇଛନ୍ତି । ସୁସ୍ମିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପଛର ରହସ୍ୟ କଣ? ହତ୍ୟାର ତଦନ୍ତ ଠିକରେ ହେଉନାହିଁ ।

ଏହାର ସିବିଆଇ ତଦନ୍ତ ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଦାବିରେ ବିଜେପି ସୁନ୍ଦରଗଡ ବନ୍ଦ ଡାକରା ଦେଇଛି । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହ ସେମାନେ ହିଂସାର ଶିକାର ହେଉଥିବା ସାଂସଦ ଜୁଏଲ ଓରାମ ଅଭିଯୋଗ କରିଛନ୍ତି । ସେପଟେ ସୁସ୍ମିତା ମିଞ୍ଜ ମୃତ୍ୟୁ ନେଇ ଗୁରୁଣ୍ଡିଆ ବିଡିଓ ବର୍ଣ୍ଣାଡେକ ଲାକ୍ରା ଓ ସିଡିପିଓ ଫୁଲଝାନସିଆ ଏକ୍କାଙ୍କୁ ପଚରାଉଚରା କରିଛନ୍ତି ତଦନ୍ତକାରୀ ଟିମର ନେତୃତ୍ୱ ନେଉଥିବା ଡିଏସପି ବନିତା ମାଝି ।

ସେପଟେ ମୃତ ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ପରିବାରକୁ ଭେଟିବାକୁ ଯାଇଥିବାବେଳେ ବିଜେପି ମହିଳା ମୋର୍ଚ୍ଚା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପ୍ରବଳ ବିରୋଧରେ ସମ୍ମୁଖୀନ ହୋଇଛନ୍ତି । ସନ୍ତୋଷପୁରରେ ଏହି ବିରୋଧ ହୋଇଛି । ଟିମରେ ସାମିଲ ଥିଲେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଓ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଐଶ୍ଚର୍ଯ୍ୟା ବିଶ୍ୱାଳ । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଶବ ଦେଖିବାକୁ ଆସିନଥିଲ ଏବେ କାହିଁକି ଆସିଛ । ବିରୋଧ କରିଥିବା ବ୍ୟକ୍ତିମାନେ କଂଗ୍ରେସ ସମର୍ଥକ ବୋଲି ବିଜେପି ଅଭିଯୋଗ କରିଛି ।